କନକ ବ୍ୟୁରୋ: ନୟାଗଡ ସ୍କୁଲପିଲାଙ୍କୁ ନବୀନଙ୍କ ଶୁଭେଚ୍ଛା । ନୟାଗଡ ନୋତର ଓଡିଶା ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡକ ସୁରକ୍ଷା ସଚେତନତା ନେଇ ଅନଲାଇନ ଆଇଡିଆ ପ୍ରତିଯୋଗିତାରେ ଆଦର୍ଶ ସ୍କୁଲପିଲା ପ୍ରଥମ ସ୍ଥାନ ପାଇଥିବାରୁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ । ଭିଡିଓରେ ନିଆରା ସଚେତନତାର ବାର୍ତ୍ତା ଦେଇ ଲୋକଙ୍କ ଜୀବନ ସୁରକ୍ଷିତ କରାଇଥିବାରୁ ସବୁ ପିଲାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ।

Advertisment

ତେବେ ସଡକ ସୁରକ୍ଷା ମାସରେ ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ୱାରା ଅନଲାଇନ ଆଇଡିଆ ପ୍ରତିଯୋଗିତା କରାଯାଇଥିଲା । ଆଉ ନୟାଗଡ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ଦ୍ୱାରା ‘ପାଳନ୍ତୁ ଟ୍ରାଫିକ ନିୟମ’ ଶୀର୍ଷକ ଏକ ସର୍ଟ ଭିଡିଓ କରାଯାଇଛି ଯାହା ପ୍ରଥମ ପୁରସ୍କାର ପାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଭିଡିଓ ସେୟାର କରି କେଉଁଠିକାର ପିଲା ବୋଲି ପ୍ରଶ୍ନ କରିଥିଲେ । କୁନି କୁନି ପିଲା ଟ୍ରାଫିକ ସଚେତନତା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଟୁଇଟରରେ ପୋଷ୍ଟ କରି ପ୍ରଶଂସା କରିଥିବା ବେଳେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଏହି ପିଲାମାନେ କିଏ ତାହା ମୁଁ ଜାଣିନି, କିଏ ଏହି ଭିଡିଓ କରିଛି ତାହା ବି ଜାଣିନାହିଁ । ହେଲେ ସେମାନେ ସଡକ ସୁରକ୍ଷା ବାର୍ତ୍ତାକୁ ଅତି ସୁନ୍ଦର ଭାବେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଆଉ ନୀତିନ ଗଡକରୀଙ୍କ ଏହି ଟୁଇଟ ପରେ ୟୁଜର୍ସମାନେ ରିପ୍ଲାଏ ଦେଇ ଲେଖିଛନ୍ତି, ନୟାଗଡ ଆଦର୍ଶ ବିଦ୍ୟାଳୟର ପିଲାମାନେ ଏହି ଟ୍ରାଫିକ ସଚେତନତା ବାର୍ତ୍ତା ଥିବା ଭିଡିଓ ପ୍ରସ୍ତୁତ କରିଛନ୍ତି ।