ଶୀତ ଋତୁରେ ବଢିପାରେ କରୋନା । ସ୍ଥିତି ଭୟଙ୍କର ହେବା ନେଇ ବିଶେଷଜ୍ଞଙ୍କ ମତ । ଓଡିଶାବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

274

କନକ ବ୍ୟୁରୋ: ଶୀତ ଋତୁରେ ବଢିପାରେ କରୋନା । ପୁଣି ବଢିପାରେ ଭୁତାଣୁ ସଂକ୍ରମଣ । ବିଶେଷଜ୍ଞଙ୍କ ମତକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ । ଦଶହରା ଅଭିନନ୍ଦନ ଜଣାଇ ସମସ୍ତଙ୍କୁ ଘରେ ରହି ପୂଜା କରିବାକୁ ପରାମର୍ଶ ଦେଲେ ।

ତେବେ ୟୁରୋପୀୟ ଦେଶମାନଙ୍କରେ ମାର୍ଚ୍ଚ, ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକଙ୍କ ଜୀବନ ଯାଇଥିଲା । ପରେ କରୋନାର ପ୍ରଭାବ ଟିକେ କମିଥିଲା । କିନ୍ତୁ ଏବେ ସେସବୁ ଦେଶମାନଙ୍କରେ ପୁଣି ସଂକ୍ରମଣ ବଢିଲାଣି । ପୂର୍ବଠାରୁ ଏବେ ଅଧିକ ଭୟଙ୍କର ସ୍ଥିତି ହେଉଛି । ତେଣୁ ସେମାନେ ଲକଡାଉନ, ସଡଡାଉନକୁ ପୁଣି ଆପଣାଇଲେଣି ।

ଆମେରିକା ପରେ ଭାରତ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି । କେରଳ କରୋନାକୁ ଭଲଭାବେ ମୁକାବିଲା କରିଥିଲା । ମାତ୍ର ସେଠାରେ ପ୍ରସିଦ୍ଧ ପର୍ବ ପାଳନ ପରେ ପୁଣି ସଂକ୍ରମଣ ପୂର୍ବ ଅପେକ୍ଷା ୩ ଗୁଣ ବଢିଛି । ବିଶେଷଜ୍ଞମାନେ କହୁଛନ୍ତି ଶୀତଋତୁରେ କରୋନା ଭୟଙ୍କର ହୋଇପାରେ । ତେଣୁ କରୋନା ପୁଣି ଭୟାନକ ରୂପ ନେବା ନେଇପାରେ । ଆଗକୁ ଦୁର୍ଗାପୂଜା, ଦୀପାବଳୀ ଆସୁଛି । ମୋର ଅନୁରୋଧ ସାଧାରଣ ସ୍ଥାନରେ ଭିଡ କରନ୍ତୁ ନାହିଁ । ଘରେ ରହି ମାଆଙ୍କ ପୂଜା କରନ୍ତୁ । ପରିବାରକୁ ସୁରକ୍ଷିତ ରଖନ୍ତୁ ।