କରୋନା ମୁକାବିଲା ପାଇଁ ପଞ୍ଚାୟତସ୍ତରରେ କଡାକଡି ହେବ ପଞ୍ଜୀକରଣ । ବାହାରୁ ଆସିଲେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ସଙ୍ଗରୋଧ ଅବଧି ସରିବା ପରେ ମିଳିବ ୨୦୦୦ ଟଙ୍କା ସହାୟତା

863

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଓ ପଞ୍ଚାୟତ ସ୍ତରରେ କରୋନା ସହ ଲଢିବାକୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ବାହାରୁ ଆସୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ । କଟକଣା ପରେ କେହି କି ଲୋକ ଯଦି ବାହାର ରାଜ୍ୟରୁ ଗାଁକୁ ଫେରୁଛନ୍ତି ତେବେ ସେମାନେ ପଞ୍ଚାୟତରେ ନିଜ ସବୁତକ ତଥ୍ୟ ପଞ୍ଜୀକୃତ କରିବେ । ଫେରିଥିବା ବ୍ୟକ୍ତି ନିଜ ସହ ନିଜ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କର ବି ପଞ୍ଜୀକରଣ କରିପାରିବେ ।

ତେବେ ପଞ୍ଜୀକରଣ ପରେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ । ସମସ୍ତେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ଜରୁରୀ । ତେବେ ସଙ୍ଗରୋଧ ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଖାଇବା, ରହିବା ଓ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ । ଏଥିସହ ସଙ୍ଗରୋଧ ଅବଧି ସରିବା ପରେ ୨ ହଜାର ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଞ୍ଚାୟତସ୍ତରରେ ପଞ୍ଜୀକରଣକୁ ଗୁରୁତ୍ୱ ଦେଇ କରୋନା ମୁକାବିଲାକୁ ଦୃଢ କରିବା ପାଇଁ ସରପଞ୍ଚମାନଙ୍କୁ ବଡ କ୍ଷମତା ଦେଇଛନ୍ତି ସରକାର । ଏକ ଐତିହାସିକ ପଦକ୍ଷେପ ନେଇ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ମାନବୀୟ ଦୃଷ୍ଟି କୋଣରୁ ମହାମାରୀର ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ଆବଶ୍ୟକ କରେ । କରୋନା ବିରୋଧରେ ଲଢେଇକୁ ଆମେ ଅଧିକ ସୁଦୃଢ କରିବା ସହ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।