କନକ ବ୍ୟୁରୋ : ଭୁବନେଶ୍ୱରରେ ଉଦଘାଟିତ ହେଲା ତିରୁପତି ଭେଙ୍କଟେଶ୍ୱର ମନ୍ଦିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ସାଧୁ ସନ୍ଥ ମାନେ ଉପସ୍ଥିତ ଥିଲେ । ତେବେ ତିରୁପତି ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀ ତିରୁପତି ମନ୍ଦିରରୁ ବାହାରୁଥିବା ବେଳେ ମନ୍ଦିରରେ ପ୍ରବେଶ କରୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉଭୟ ସାମ୍ନାସାମ୍ନି ହୋଇଥିବା ବେଳେ ଅପରାଜିତା ନବୀନଙ୍କୁ ନମସ୍କାର କରିଥିଲେ । ନବୀନ ମଧ୍ୟ ହସିଦେଇ ପ୍ରତି ନମସ୍କାର କରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାଜନୀତି ମୈଦାନରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କରି ଆସୁଛନ୍ତି ଅପରାଜିତା । ଏପରିକି ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ନବୀନ ସରକାର ଉପରେ ପ୍ରଶ୍ନବାଚୀ ଛିଡା କରିଥିଲେ ଅପରାଜିତା । ତେବେ ରାଜନୈତିକ ବାଦବିବାଦ ଭିତରେ ବି ଉଭୟ ଉଭୟଙ୍କୁ ସମ୍ମାନ ଜଣାଇବା ଅନେକ କିଛି ବାର୍ତ୍ତା ଦେଇଛି । ଦଳୀୟ ଭିତ୍ତିରେ ଯେଉଁମାନେ ରାଜନୈତିକ ଆକ୍ରୋଶ ରଖୁଛନ୍ତି ସେମାନଙ୍କ ପାଇଁ ଏହା ଶକ୍ତ ଚାପୁଡା ।