କଳିଙ୍ଗ କାନରେ ପୁଣି ପଡିଲା ଆପଣମାନେ ଖୁସି ତ ? ହକି ବିଶ୍ୱକପର ବର୍ଷେ ପରେ ସମାନ ନାରା ନେଇ ସ୍ମୃତି ତାଜା କଲେ ମୁଖ୍ୟମନ୍ତ୍ରୀ ନବୀନ

587

କନକ ବ୍ୟୁରୋ: ଓଡିଶାରେ ପୁଣି ହେବ ହକି ବିଶ୍ୱକପ । ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି… ୨ୟ ହକି ବିଶ୍ୱକପ ହେବା ନେଇ କିଛି ଏମିତି ଢଙ୍ଗରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଗ୍ୟାଲେରୀରେ ବସିଥିବା ଦର୍ଶକ । ଷ୍ଟାଡିୟମରେ ଥିବା ଦର୍ଶକ ଏକା ସ୍ୱରରେ ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ହଁ ଆମେ ବହୁତ ଖୁସି… ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରିଥିବା ଆପଣମାନେ ଖୁସି ତ ? ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଚଳିତ ବର୍ଷ ନିର୍ବାଚନ ପ୍ରଚାର ବେଳେ ନବୀନଙ୍କ ଏହି ନାରା ରାଜ୍ୟର କୋଣ ଅନୁକୋଣରେ ଗୁଞ୍ଜରିତ ହୋଇଥିଲା । ନବୀନ ଯୁଆଡେ ବି ଯାଉଥିଲେ ଏହି ସମାନ ନାରା ଦେଇ ଲୋକଙ୍କ ମନ ଜିଣୁଥିଲେ । ଆଉ ନବୀନଙ୍କ ଏହି ନାରା ମଧ୍ୟ ଜନମାନସରେ ବେସ ଆଦୃତ ହୋଇଥିଲା । ଏମିତିକି ଯିଏ ଯାହାକୁ ଯେତେବେଳେ ଦେଖୁଥିଲା ସିଏ ଆପଣମାନେ ଖୁସି ତ କହି ସମ୍ବୋଧନ କରୁଥିଲା ।

ତେବେ ଖାଲି ନିର୍ବାଚନ କାହିଁକି ଗତବର୍ଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଏହି ନାରା ପ୍ରଥମେ ଆରମ୍ଭ କରିଥିଲେ ନବୀନ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନବୀନ ନିଜ ମୁହଁରେ ପ୍ରଥମ ଥର ପାଇଁ ଏହି କଥା କହିବା ପରେ କମ୍ପିଥିଲା କଳିଙ୍ଗ । ଆଉ ଗ୍ୟାଲେରୀ ଭିତରୁ ଦର୍ଶକ ବି ଦେଇଥିଲେ ଏହାର ପ୍ରତିଉତ୍ତର ।

ତେବେ ଆସନ୍ତା ୨୦୨୩ରେ ପୁଣି କମ୍ପିକ କଳିଙ୍ଗ । ୨୦୧୩ରେ ଓଡିଶାରେ ପୁଣି ହେବ ହକି ବିଶ୍ୱକପ । ସାରା ଓଡିଶାକୁ ହେବ କହି ଜର । ୨୦୧୮ ହକି ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର ହକି ଜର କେବଳ ରାଜଧାନୀରେ ସୀମିତ ରହିବ ନାହିଁ ବରଂ ହକିର ଏନ୍ତୁଡିଶାଳା ସୁନ୍ଦରଗଡରେ ବି ହେବ । ରାଉରକେଲା ଓ ଭୁବନେଶ୍ୱରରେ ଏଥର ହକି ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।