କନକ ବ୍ୟୁରୋ : ବଲିଉଡ ଫିଲ୍ମ ନାୟକ ଭଳି ଏବେ ମୋହନ ସରକାର ଆଗକୁ ବଢୁଛି। ସମସ୍ୟା ଶୁଣିବାର କେଇ ସେକେଣ୍ଡ ମଧ୍ୟରେ ହେଉଛି ସମାଧାନ। ୨ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗକାରୀଙ୍କ ଅସମ୍ଭାଳ ଭିଡ ଭିତରେ ଆଜି ପଞ୍ଜିକରଣ କରିଥିବା ୧୭୫୦ ଜଣଙ୍କର ଅଭିଯୋଗ ଶୁଣିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍। ଦେଖନ୍ତୁ ଏ ବୃଦ୍ଧ ମହିଳା ଜଣଙ୍କୁ। ଯିଏ ନିଜର ଦୁଃଖ ଜଣାଇବାକୁ ମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ତୁରନ୍ତ ଅଭିଯୋଗ ଶୁଣିବା ସହ ବୃଦ୍ଧାଙ୍କୁ ନିଜ ପକେଟରୁ ଟଙ୍କା କାଢି ଦେଇଥିଲେ। ପ୍ରତିବଦଳରେ ବୁଢୀ ମା ଜଣକ ମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଥିଲେ। ଅନ୍ୟ ଦିବ୍ୟାଙ୍ଗ ମହିଳା ଜଣକ ଦୀର୍ଘ ଦିନର ସଂଘର୍ଷ ପରେ ଆଜି ମୋହନ ସରକାରରେ ନ୍ୟାୟ ପାଇଛନ୍ତି ।
ଦୀର୍ଘ ୨୨ ବର୍ଷ ଧରି ନିଜ ଅଭିଯୋଗର ସମାଧାନ ଆଶାରେ ବାରଦୁଆର ହେଉଥିଲେ ମଧ୍ୟ ପୂର୍ବ ସରକାରକୁ ଭେଟି ପାରୁନଥିଲେ ବେଲୁନ୍ ଗ୍ୟାସରେ ଦୃଷ୍ଟିଶକ୍ତି ହରାଇଥିବା କିଛି ଯୁବକ। ଯେଉଁମାନେ ଏବେ ଘରଖଣ୍ଡିଏ ଆଶାରେ ମୋହନ ସରକାର ନିକଟରେ ଗୁହାରି କରିବା ସହ ପୂର୍ବ ସରକାର ଉପରେ ଅସନ୍ତୋଷ ଝାଡିଛନ୍ତି। ଏଭଳି ଶହ ଶହ ଅଭିଯୋଗକାରୀଙ୍କ ପ୍ରତିଟି ଅଭିଯୋଗକୁ ଅତି ଧୈର୍ୟ୍ୟର ଶୁଣ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଦୀର୍ଘ ବର୍ଷଧରି ସିଧାସଳଖ ନେତା, ମନ୍ତ୍ରୀଙ୍କୁ ଭେଟି ପାରୁନଥିଲେ ସାଧାରଣ ଲୋକେ। କିନ୍ତୁ ଏବେ ସ୍ଥିତି ବଦଳିଛି। ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାୟକ ଷ୍ଟାଇଲକୁ ପସନ୍ଦ କରୁଛନ୍ତି ସାଧାରଣ ଜନତା।