ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ । ପ୍ରଥମେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

401

କନକ ବ୍ୟୁରୋ : ବିଧାନସଭାରେ ନବ ନିର୍ବାଚିତ ବିଧାୟକ ନେଇଛନ୍ତି ଶପଥ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରେ ନବ ନିର୍ବାଚିତ ବିଧାୟକ ପର୍ଯ୍ୟାୟକ୍ରମେ ଶପଥଗ୍ରହଣ କରୁଛନ୍ତି । ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ  । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ  । ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ଦିଆଯିବ । ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ।

ଅନ୍ୟପଟେ ପ୍ରଥମ ଥର ପାଇଁ ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର  । ବିଧାୟକ ହେବା ପରେ ଆଜି ଶପଥ ନେବାକୁ ବିଧାନସଭାରେ ପହଁଚିଛନ୍ତି । ସାଇକେଲରେ ବିଧାନସଭା ଆସିବା ସହ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି  ।  ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି  ।