ଜଳସେଚନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବା ସହ ଜଳସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ।

225

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଳସେଚନ ବିଭାଗର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଦୁର୍ବଳ ନଦୀ ବନ୍ଧ ଗୁଡିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସମସ୍ତ ଅଫିସରଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତହସିଲଦାର ଏବଂ ବିଭାଗ ଦୁର୍ବଳ ନଦୀବନ୍ଧ ଗୁଡିକର ତଦାରଖ କରୁଥିବା କହିଛନ୍ତି ଅନୁ ଗର୍ଗ ।

ଜଳସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ମେଗା ଲିଫ୍ଟ, ମାଇନର ଲିଫ୍ଟ ଇରିଗେସନ ଓ ଡିପ୍ ବୋରଏଲ ଗୁଡିକର କାମ ଶୀଘ୍ର ସାରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରା କରିବା ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।