ରାଜ୍ୟ ଭାଷା ଓଡିଆରେ ହେବ ରାଜ୍ୟ ଶାସନ । ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

296

କନକ ବ୍ୟୁରୋ : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସରକାରୀ କାମ ଆରମ୍ଭ କରିଛନ୍ତି ମୋହନ ମାଝୀ। ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରି ତାଙ୍କ ନିକଟକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦୀର୍ଘ ଦିନ ଧରି ଯେଉଁ ଓଡ଼ିଆ ଭାଷା ଆଇନ ଶୀତଳଭଣ୍ଡାରରେ ରହିଥିଲା, କାର୍ଯ୍ୟାଳୟକୁ ଆସିବାର ପ୍ରଥମ ଦିନରେ କାର୍ଯ୍ୟକାରୀ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ମୋହନ।

ଲୋକସେବା ଭବନରେ ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି। ନାମ ଫଳକରେ ମଧ୍ୟ ରହିଛି ଓଡ଼ିଶାର କଳା ସଂସ୍କୃତିର ଝଲକ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି,
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ
ଆବଶ୍ୟକ ପଡ଼ିଲେ ଆଇନକୁ ସଂଶୋଧନ କରି ଆହୁରି ସଶକ୍ତ କରାଯିବ
ସାହିତ୍ୟ, ସଙ୍ଗୀତ, ନାଟକ, ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ୟ୍ୟକ୍ଷମତା ବୃଦ୍ଧି କରାଯିବ
ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ
ଗୁଣାତ୍ମକ ଗବେଷଣା, ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ କରାଯିବ
ଭାଷା କମିସନ, ଅନୁବାଦ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ
ବରୁଣେଇଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବ

ଆଗରେ ରହିଛି ଅନେକ ଆହ୍ବାନ
ନିୟମ ହେଉଛି, କାର୍ଯ୍ୟକାରୀ ପାଇଁ ସମନ୍ବୟର ଅଭାବ
ସରକାରୀ କାର୍ଯ୍ୟ ପାଇଁ ଯେଉଁ ଶବ୍ଦକୋଷ ରହିଛି, ସେଥିରେ ଅନେକ ତ୍ରୁଟି ରହିଛି
ଡିଜିଟାଇଜ୍ ପାଇଁ ମଧ୍ୟ ବୈଷୟିକ ସମସ୍ୟା ରହିଛି
ଓଡ଼ିଆ ଭାଷାର ଉପଯୁକ୍ତ ସଫ୍ଟୱେୟାର ବିକଶିତ ହୋଇନାହିଁ
ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଅଣଓଡ଼ିଆ ସଚିବ ଓ ଅଧିକାରୀ ଅକ୍ଷମ
ଆଇନ ସମ୍ବଦ୍ଧୀୟ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ହେଲେ ସ୍ବତନ୍ତ୍ର ତାଲିମ ଆବଶ୍ୟକ

ଓଡ଼ିଆ ଭାଷା ବ୍ୟବହାରରେ ଯେଉଁ ସବୁ ଅନ୍ତରାୟ ରହିଛି, ତାକୁ ଅତିକ୍ରମ କଲେ ହିଁ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହୋଇପାରିବ। ସେଥିପାଇଁ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟତକା ରହିଛି।