କନକ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଭିତରେ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ କାହିଁକି ଆସୁନାହିଁ ସେ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ୱାଭାବିକ ହୋଇଛି । ଏହି ଅସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମର ସ୍ଥିତି ପରଖିଛନ୍ତି । ଆଳୁର ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଗତକିଛିଦିନ ଧରି ରାଜ୍ୟରେ ଆଳୁ ସଂକଟ ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ ଆସୁନଥିବାରୁ ବିଭିନ୍ନ ସ୍ଥାନରେ ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ମାତ୍ର ଏବେ ସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।