କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀ ମାନଙ୍କର ସହଯୋଗ କାମନା କରିଛନ୍ତି । ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ୟ୍ୟରତ ଓଡ଼ିଶା କାଡ଼ର୍ ଅଧିକାରୀ ମାନଙ୍କ ଏକ ବୈଠକର ଆୟୋଜନ କରା ଯାଇଥିଲା। ଏଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ । ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁ ତ୍ୱରିତ କର୍ୟ୍ୟନ୍ଵୟନ ପାଇଁ ସେ ଏହି ଅଧିକାରୀ ମାନଙ୍କ ସହଯୋଗ ଲୋଡି ଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ମୁଁ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛି। ଯେଉଁ ଯେଉଁ କ୍ଷେତ୍ର ପାଇଁ ଆମକୁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ସେଗୁଡିକ ହେଲା ବନ୍ଦର ଭିତ୍ତିକ ବିକାଶ, ଇଣ୍ଡଷ୍ଟ୍ରିଆଲ କରିଡର ଓ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ, ରେଲୱେ ଓ ଏୟାରପୋର୍ଟ ଭିତ୍ତିଭୂମି ସ୍ଥାପନ ପାଇଁ ଅଧିକ ଅର୍ଥର ବରାଦ ଏବଂ ଆବଶ୍ୟକ ମଞ୍ଜୁରି, ପ୍ରାକୃତିକ ବିପର୍ୟ୍ୟୟ ସହଣିୟ ଭିତ୍ତିଭୂମିର ବିକାଶ ପାଇଁ ସହାୟତା, ସବୁଜ ଅର୍ଥନୀତିର ବିକାଶ ପାଇଁ ହାଇଡ୍ରୋ ଷ୍ଟୋରେଜ ପ୍ଲାଣ୍ଟ ଓ ସୋଲାର ପ୍ରକଳ୍ପ ପାଇଁ ସହାୟତା, ଫାଇନାନସିଆଲ ଇନକ୍ଲୋଜନ ବା ଆର୍ଥିକ ଅନ୍ତର୍ଭୁକ୍ତୀ କରଣ ପାଇଁ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ବ୍ୟାଙ୍କ୍ ଶାଖା ଓ ଏଟିଏମ୍ ପ୍ରତିଷ୍ଠା, ଖଣିଜ ଶିଳ୍ପର ବିକାଶ ପାଇଁ ସହଯୋଗ, ରେଳ ନେଟୱର୍କ ର ବିକାଶ, ବୈଦେଶିକ ପୁଞ୍ଜି ଓ ସେମି କଣ୍ଡକ୍ଟର ପରି ଆଧୁନିକ ଶିଳ୍ପର ବିକାଶ ପାଇଁ ସହଯୋଗ, ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟକୁ ଅଧିକ ପ୍ରୋତ୍ସାହନ ଓ ଆହୁରି ଅନେକ ପ୍ରସ୍ତାବ।

ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଳିଷ୍ଠ ଅବଦାନ ଆଶା କରୁଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏଥିପାଇଁ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ। ଏଥିପାଇଁ ସମାଜର ସବୁ ସ୍ତରରେ ସହଯୋଗ ଆବଶ୍ୟକ। ସେ କହିଥିଲେ ଯେ ନବଗଠିତ ଓଡିଶା ସରକାର ଜୁଲାଇ ୨୫ ତାରିଖରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ସେ ଏହି ବଜେଟ୍ ଉପସ୍ଥାପନ କରିଥିଲେ ।

ଏହି ବଜେଟ୍ ପ୍ରସ୍ତୃତି ପ୍ରକ୍ରିୟାରେ ସମାଜର ବିଭିନ୍ନ ବର୍ଗ ଯଥା ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ରହି ସେମାନଙ୍କ ର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଏହା ସହିତ ଅନଲାଇନ ଜରିଆରେ ମଧ୍ୟ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ଵ ମତାମତ ଆସିଥିଲା। ଏହା ପୂର୍ବ ବର୍ଷ ଅପେକ୍ଷା ୬ ଗୁଣ ଅଧିକ। ତେଣୁ ଆମର ଏହି ବଜେଟରେ ଲୋକଙ୍କ ମତାମତ ପ୍ରତିଫଳିତ ହୋଇଛି । ଆମ ବଜେଟ୍ ବାସ୍ତବରେ ଲୋକଙ୍କ ବଜେଟ୍ ଭାବରେ ଜନ ସାଧାରଣଙ୍କ ସ୍ଵୀକୃତି ପାଇଛି। ଏହା ଏକ ଲୋକାଭିମୁଖୀ ବଜେଟ୍ ଉପସ୍ଥାପନା ହୋଇଛି। ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ଏହା ଆଦୁତ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର 'ଲୋକଙ୍କ ସରକାର' ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିକଶିତ ଓଡିଶା ର ପରିକଳ୍ପନା ଓ ରୂପରେଖ ନିର୍ଦ୍ଧାରଣ ପାଇଁ ସମାଜର ସବୁ ବର୍ଗର ସୁଚିନ୍ତିତ ମତାମତ ସବୁବେଳେ ସ୍ବାଗତ ଯୋଗ୍ୟ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ଓଡିଶାର ଅଧିକାରୀ ମାନଙ୍କର ସହଯୋଗ ଆମ ଉଦ୍ୟମକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ତାଙ୍କର ଦୁଢ ଆଶା ଓ ବିଶ୍ବାସ ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ବିଶେଷକରି ଯେଉଁ ମାନେ ବିଭିନ୍ନ ପ୍ରକଳ୍ପର ମଞ୍ଜୁରି ପ୍ରଦାନ କରିଥାନ୍ତି ଯଥା ଫରେଷ୍ଟ, ଏନଭରଭମେଣ୍ଟ, ଆଣ୍ଡ କ୍ଲାଇମେଟ ଚେଞ୍ଜ, ଇଣ୍ଡଷ୍ଟ୍ରିଜ,ରେଲୱେଜ, ସିଭିଲ ଏଭିଏସନ ଏବଂ ଯେ କୌଣସି ମନ୍ତ୍ରାଳୟ ଯେଉଁଠି ଓଡ଼ିଶା କାଡ଼ର୍ ର ଅଧିକାରୀ ମାନେ ଅଛନ୍ତି, ସେମାନଙ୍କ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ଆପଣ ମାନଙ୍କର (କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ଓଡ଼ିଶା କାଡ଼ରର ଅଧିକାରୀ ମାନେ) ଗଠନମୂଳକ ମତାମତ ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଆମ ସରକାରଙ୍କ ଦ୍ୱାର ସଦାସର୍ବଦା ଉନ୍ମୁକ୍ତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଆମେ ଆହୁରି ଅନେକ ଥର ବିଚାର ବିମର୍ଷ କରିବା ଏବଂ ଏକମନ ହୋଇ ବିକଶିତ ଓଡିଶାର ପରିକଳ୍ପନାକୁ ବାସ୍ତବ ରୂପ ଦେବା ବୋଲି ସେ କହିଥିଲେ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ କାର୍ୟ୍ୟ କରୁଥିବା ଓଡ଼ିଶା କାଡ଼ର୍ ଅଧିକାରୀ ମାନେ ଯୋଗ ଦେଇ ଓଡ଼ିଶାର ବିକାଶ ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ।