କନକ ବ୍ୟୁରୋ : ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।   ଆଗାମୀ ୨-୩ ବର୍ଷ ମଧ୍ୟରେ  ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ।  ଆମର ଯୁବପିଢି ଓଡିଶାର ଭବିଷ୍ୟତ । ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Advertisment
 ଆଜି ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆମ ସରକାରଙ୍କ ପ୍ରାଥମିକତା ଅଟେ। ଆଗାମୀ ବଜେଟରେ  ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ।
ଆଜି ଏହି ସ୍ୱତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇଥିଲା। ଏହା ସହିତ ଆଉ ୯ ଟି କୌଶଳ କେନ୍ଦ୍ର ଖୋଲାଯିବ ବୋଲି ସେ କହିଥିଲେ। ଏହାଦ୍ବାରା ଆମର ଯୁବକମାନେ ଆତିଥେୟତା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ ପାଇବାର ସୁଯୋଗ ପାଇବେ । ଓଡିଶାକୁ ପର୍ୟ୍ୟଟନର ଏକ ହବ୍‌ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ  ଏହି କୌଶଳ ଭବନ ଗୁଡିକ ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବାରେ ସକ୍ଷମ ହେବେ ବୋଲି ସେ କହିଥିଲେ।
ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସି.ଏମ.- ଆସ୍ପାୟାର’(ଉଗ-ଇଝଚଓଜଋ) ଯୋଜନାର ଘୋଷଣା ମଧ୍ୟ କରିଥିଲେ। ସେ କହିଥିଲେ ଯେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଦକ୍ଷତାରେ ଗୁଣବତ୍ତା ହାସଲ ଖୁବ ଗୁରୁତ୍ବପୂର୍ଣ୍ଣ। ଶିଳ୍ପ ଗୁଡିକର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଦକ୍ଷତା ହାସଲ କରିପାରିବ ବୋଲି ସେ କହିଥିଲେ।
ଏଥିରେ ଅନେକ କାର୍ୟ୍ୟକ୍ରମ ଗ୍ରହଣ କରାଯିବ। ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ  ଦ୍ବାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡିକୁ ସୁଦୃଢ କରିବା,  ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ଓଡିଆ ଯୁବକଯୁବତୀ ମାନଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯିବ ସେ କହିଥିଲେ।
ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହାର ଆବଶ୍ୟକତା ଆହୁରି ଅନୁଭୂତ ହେବ। ତେଣୁ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଆମେ ପ୍ରାୟ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ସ୍ଥାନୀୟ ଶିଳ୍ପର  ଆବଶ୍ୟକତାକୁ ପୂରଣ କରିବା ଦିଗରେ ସ୍ଥାନୀୟ ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିପାଇଁ ଦକ୍ଷତା ବିକାଶ କାର୍ୟ୍ୟକ୍ରମର ବିକେନ୍ଦ୍ରୀକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟରେ ଜିଲ୍ଲାସ୍ତରରେ ‘ନୂଆ ଓଡିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ସ୍ଥାନୀୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାଗୁଡିକୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି।  ଏହା ସହିତ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ଫେଲୋସିପ୍‌ ମଧ୍ୟ ଆରମ୍ଭ କରାଗଲା। ଜିଲ୍ଲା ପ୍ରଶାସନକୁ ଦକ୍ଷତା ବିକାଶରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ମାନଙ୍କର ପ୍ରମୁଖ ଭୂମିକା ରହିବ ବୋଲି ସେ କହିଥିଲେ।
ନିଜ ଅଭିଭାଷଣରେ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦକ୍ଷତା ହେଉଛି ପ୍ରଗତିର ମୂଳଦୁଆ । ଯୁବଶକ୍ତିର ଦକ୍ଷତା ରାଷ୍ଟ୍ରର ଅର୍ଥନୈତିକ ଶକ୍ତିର ମେରୁଦଣ୍ଡ ଏବଂ ଏହା ଏକ ପ୍ରଗତିଶୀଳ ସମାଜର ପରିଚୟ ମଧ୍ୟ ସୃଷ୍ଟି କରେ ବୋଲି ସେ କହିଥିଲେ ।
  ସେ ପୁଣି କହିଲେ ଯେ ବିକାଶ ସହିତ ଦକ୍ଷ ମାନବ ସମ୍ବଳର ଚାହିଦା ବଢିବାରେ ଲାଗିଛି। ଏହି ଆନ୍ଦୋଳନରେ ଓଡିଶା ଆଗଧାଡିରେ ଠିଆ ହେବା ଆବଶ୍ୟକ। ଆତ୍ମବିଶ୍ବାସ ଓ ଦକ୍ଷତା ସହ ଏହି ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ ।
ଆମେ ଏପରି ଏକ ରାଜ୍ୟର ପରିକଳ୍ପନା କରୁଛୁ ଯେଉଁଠାରେ ଯୁବ ବର୍ଗର ପ୍ରତ୍ୟେକ ବ୍ୟକ୍ତି ନିଜ ମନୋନୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜକୁ ସଶକ୍ତ କରିପାରିବେ ବୋଲି ସେ କହିଥିଲେ । ପରିବର୍ତ୍ତିତ ପରିସ୍ଥିତି ସହିତ ଆମର ଦିଗ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ଏହାସହିତ ଗତିକୁ ତ୍ବରାନ୍ବିତ କରିବା ମଧ୍ୟ ଜରୁରୀ।
ଆମେ ଚଳିତ ବର୍ଷ ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆଗାମୀ ବର୍ଷ ଗୁଡିକରେ ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଥିଲେ।
ଆଗାମୀ ଦିନରେ  ଓଡିଶାକୁ ପୁଞ୍ଜିନିବେଶର ଏକ ହବ୍‌ ଭାବେ ପ୍ରତିଷ୍ଠିତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ନୂତନ ଶିଳ୍ପର ଆବଶ୍ୟକତା ସହିତ ଦକ୍ଷତାକୁ ଯୋଡିବା ଦରକାର । ପ୍ରଥମ ଥର ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ କେବଳ ଜଣେ ହିଁ  ମନ୍ତ୍ରୀ ଅଛନ୍ତି। ଏହାଦ୍ବାରା ଶିଳ୍ପ ଓ ଦକ୍ଷତା ମଧ୍ୟରେ ସଂପର୍କ ସୁଦୃଢ ହୋଇପାରିବ ବୋଲି ସେ ମତ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବିକାଶ ଉପରେ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଆମକୁ ଶିଳ୍ପ ଓ ଦକ୍ଷତା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଥିବା ସମ୍ଭାବନା କୁ
ଦେଖି ଆବଶ୍ୟକ କାର୍ୟ୍ୟକ୍ରମ ପ୍ରସ୍ତୁତ କରିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ  ଯୁବକ ଯୁବତୀମାନଙ୍କୁ ଆହ୍ବାନ ଦେଇ କହିଲେ ଯେ ସେମାନେ ଦକ୍ଷତା ବିକାଶ କାର୍ୟ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ ଏବଂ ଏହି ସୁଯୋଗର ସୁବ୍ୟବହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଆଜି ମୁଖ୍ୟମନ୍ତ୍ରୀ ଏକ କୌଶଳ ରଥର ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ସାରା ରାଜ୍ୟରେ ଭ୍ରମଣ କରି ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବାର୍ତ୍ତା ପହଞ୍ଚାଇବ ।
 ସରକାର ଏକ ସ୍ଲିଲ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଆମର ଯୁବ ପିଢ଼ି ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି କାର୍ୟ୍ୟକ୍ରମରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ କହିଲେ ଯେ ରାଜ୍ୟ ସରକାର ଦକ୍ଷତା କ୍ଷେତ୍ରରେ ଓଡିଶାକୁ ଏକ ନୂଆ ସ୍ତରକୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। କୌଶଳ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାର ପୁରା ଉପଯୋଗ କରାଯାଇ ଯୁବ ଶକ୍ତିର ବିକାଶ କରାଯିବ ବୋଲି ସେ କହିଥିଲେ।