ବର୍ଷେ ପରେ ବି ମିଳୁନି ନିଖୋଜ ପୁଅ ପତ୍ତା ; ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଜଣାଇଲେ ଯାଜପୁରର ସଞ୍ଜୁକ୍ତା ଭାରତୀ । ୪୧ବର୍ଷର ଚାକିରିକୁ ସ୍ଥାୟୀ କରିବାକୁ ଗୁହାରୀ କଲେ ଦୀନବନ୍ଧୁ ।

87

କନକ ବ୍ୟୁରୋ: ପୁଅ ନିଖୋଜକୁ ବର୍ଷେ ବିତିଲାଣି । ଏଯାଏଁ କିଛି ଖୋଜ ଖବର ନାହିଁ । ହିମାଚଳପ୍ରଦେଶରୁ ଦିଲ୍ଲୀ ଆସୁଥିବା ବେଳେ ୨୦୨୩ ମସିହା ମେ ୨୮ ତାରିଖରୁ କୁଆଡେ ନିଖୋଜ ହୋଇଯାଇଛନ୍ତି ଯାଜପୁର ଜିଲ୍ଲା ବରୀ ଅଂଚଳର ସତ୍ୟାନନ୍ଦ ଭାରତୀ । ଏନେଇ ସତ୍ୟାନନ୍ଦଙ୍କ ମାଆ ବରିର ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ହେଲେ କେହି କିଛି ଶୁଣିଲେ ନାହିଁ, କି ପୁଅର କିଛି ଖବର ମିଳିନାହିଁ । ପୁଅକୁ ଫେରି ପାଇବା ଆଶାରେ ଦୁଃଖ ଜଣାଇବା ଉଦେଶ୍ୟରେ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ମାଆ ସଞ୍ଜୁୁକ୍ତା ଭାରତୀ ।

ସେହିପରି କୋର୍ଟଙ୍କ ଅର୍ଡରକୁ ମାନିଲେ ନାହିଁ ପୂର୍ବ ସରକାର କି ପ୍ରଶାସନ । ବର୍ତମାନର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ଦୁଃଖ ଦୂର କରିବେ ବୋଲି ଆଶା ରଖଛନ୍ତି ଜଣେ ଶିକ୍ଷକ । ଏ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗରର ଦୀନବନ୍ଧୁ ରାହୁଲ । ୧୯୮୩ ମସିହାରୁ ୟୁପି ସ୍କୁଲର ଶିକ୍ଷକତା ଆରମ୍ଭ କରିଥିଲେ । ଏହାରି ଭିତରେ ଅନେକ ବର୍ଷ ବିତିଲାଣି, ତାଙ୍କ ଚାକିରି ନିୟମିତ ହୋଇନାହିଁ କି ଦରମା ମିଳିନାହିଁ । ଏନେଇ ସେ ୨୦୦୩ ମସିହାରୁ ଲଢେଇ କରି ଆସୁଛନ୍ତି । ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆରଗରେ ଧାରଣା ଦେବା ସହ କୋର୍ଟଙ୍କ ଆଶ୍ରୟ ନେଇଥିଲେ ଦୀନବନ୍ଧୁ । କୋର୍ଟ ମଧ୍ୟ ସ୍ଥାୟୀ ନିଯୁକ୍ତି ଦେଇ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶ ପାଳିଲେ ନାହିଁ କି ଚାକିରି ଦେଲେ ନାହିଁ । ତେଣୁ ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଅଭିଯୋଗ ଜଣାଇବାକୁ ଆସିଛନ୍ତି କାମାକ୍ଷାନଗରର ଦୀନବନ୍ଧୁ ରାହୁଲ ।