ଦିଲ୍ଲୀରେ ମୋଦୀ-ମମତା ଭେଟଘାଟ । ବଡ ଦାବି ରଖିଲେ ମମତା, ପ୍ରଧାନମନ୍ତ୍ରୀ ଉତ୍ତର ଦେଖିବା ନିଶ୍ଚୟ ଦେଖିବା ।

310

କନକ ବ୍ୟୁରୋ : ଦିଲ୍ଲୀରେ ମମତା-ମୋଦୀ ଭେଟଘାଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା ପ୍ରଥମ ବୈଠକ । ଏହି ବୈଠକରେ ପଶ୍ଚିମବଙ୍ଗକୁ ଅଧିକ ମାତ୍ରାରେ ଟୀକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମମତା । ଜନସଂଖ୍ୟା ଅଧାରରେ ପଶ୍ଚିମବଙ୍ଗକୁ କମ ଟୀକା ମିଳୁଥିବା କହିଥିଲେ ମମତା । ଆଉ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିଶ୍ଚୟ ଦେଖିବି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ମାରାଥନ ବୈଠକରେ ରାଜ୍ୟର ନାମ ବଦଳାଇବା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇଥିବା କହିଛନ୍ତି ମମତା ।

ମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି । କାରଣ ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ ପରେ ଏବେ ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମମତା । ଜାତୀୟ ରାଜନୀତିରେ ନିଜର ସ୍ଥିତି ମଜବୁତ କରିବା ସହ ମୋଦୀ ସରକାରକୁ ଚେକ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମମତା । ଏପରିକି ଏଥିପାଇଁ ବିରୋଧୀ ଗୋଷ୍ଠୀଙ୍କୁ ଏକାଠି କରିବାକୁ ମମତା ଦିଲ୍ଲୀ ଗସ୍ତରେ ଥିବା କୁହାଯାଉଛି । ଯାହାର ସଂକେତ ମମତାଙ୍କ ଦିଲ୍ଲୀ ଗସ୍ତ ସମୟରେ ଦେଖିବାକୁ ମିଳିଛି । ଦିଲ୍ଲୀ ଗସ୍ତ ଯାଇଥିବା ମମତା କଂଗ୍ରେସ ନେତା କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଛନ୍ତି । ଆଉ ଏହା ବିରୋଧୀଙ୍କୁ ଏକାଠି କରିବାର ପ୍ରଥମ ପ୍ରୟାସ ବୋଲି କୁହାଯାଉଛି । ତେବେ କମଳନାଥ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପାଇଁ କେବଳ ଶୁଭେଚ୍ଛା ଜଣାଇବାକୁ ଭେଟିଥିଲୁ । କୌଣସି ଆଗାମୀ ଋଣନୀତି ବାବଦରେ ଆଲୋଚନା ହୋଇନାହିଁ । ଦେଶର ରାଜନୈତିକ ସ୍ଥିତି ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ କହିଛନ୍ତି କମଲନାଥ ।

ଏହାଛଡା ଆସନ୍ତାକାଲି ମମତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବାସଭବନରେ ଭେଟ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ଭେଟଘାଟ ଉପରେ ଉଭୟ ବିରୋଧୀ ଓ ବିଜେପିର ନଜର ରହିଛି । କାରଣ ଏହି ବୈଠକ ପରେ ଜାତୀୟ ରାଜନୀତିରେ ଏକ ବଡ ଧରଣର ହଲଚଲ ଦେଖିବାକୁ ମିଳିପାରେ । ସେହିଭଳି ଏନସିପି ମୁଖ୍ୟ ଶରଦ ପାୱାର ଓ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମମତାଙ୍କର ଭେଟଘାଟ ହୋଇପାରେ । କୁହାଯାଉଛି ସବୁ ବିରୋଧୀଙ୍କୁ ଏକଜୁଟ୍ କରିବାକୁ ମମତା ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହାଛଡା ସଂସଦର ମୌସୁମୀ ଅଧିବେଶନ ଚାଲୁଥିବାରୁ ମମତାଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।