କନକ ବ୍ୟୁରୋ : ନାରଦା ଲାଞ୍ଚ ମାମଲା’ରେ ଦୁଇଜଣ ମନ୍ତ୍ରୀ- ଫିର୍ହାଦ୍ ହକିମ ଏବଂ ସୁବ୍ରତ ମୁଖାର୍ଜୀ ଗିରଫ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ‘ସିବିଆଇ’ ଟିମ୍ ଆଜି ସକାଳେ ହଠାତ୍ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଛି।
ଚଢ଼ାଉ ଓ ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍ ବାହାରେ ରୁଣ୍ଡ ହୋଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ପହଞ୍ଚିଛନ୍ତି । ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଆଡଭୋକେଟ୍ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସରେ ପହଞ୍ଚିଥିଲେ। କଲ୍ୟାଣଙ୍କ କହିବା ଅନୁସାରେ, ତାଙ୍କ ମନ୍ତ୍ରୀମାନଙ୍କୁ ଅଟକ ରଖିବା ବେଆଇନ୍ ବୋଲି କହିବା ସହ ତାଙ୍କୁ ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ‘ସିବିଆଇ’କୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ଗିରଫ କରା ନ ଗଲେ ସେ ‘ସିବିଆଇ’ ଅଫିସରୁ ଘୁଞ୍ଚିବେ ନାହିଁ ବୋଲି କହିଛନ୍ତି।
ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ବିଧାୟକଙ୍କୁ ଗିରଫ କରାଯିବା ପୂର୍ବରୁ ବାଚସ୍ପତିଙ୍କୁ ଖବର ଦିଆଯିବା ସହ ତାଙ୍କ ଅନୁମତି ଲୋଡ଼ାଯିବା କଥା। ଏ କ୍ଷେତ୍ରରେ ତାହା କରାଯାଇ ନାହିଁ।ସୂଚନା ଅନୁସାରେ, ‘ନାରଦା ମାମଲା’ରେ ଚାର୍ଜସିଟ୍ ଦାଖଲ କରିବା ଲାଗି ‘ସିବିଆଇ’ ଟିମ୍ ବଙ୍କଶାଳ ଅଦାଲତରେ ପହଞ୍ଚିଛି।
Follow Us