କନକ ବ୍ୟୁରୋ : ବିରୋଧୀ ମେଣ୍ଟକୁ ମିଳିଛି ଶକ୍ତି । ୧୭ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ବିରୋଧୀମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଆପ୍ ଯୋଗଦେବା ନେଇ ସ୍ପଷ୍ଟ କରିଛି । ଆସନ୍ତା କାଲି ବୈଠକରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଯୋଗ ଦେବା ନେଇ ଦଳ ସ୍ପଷ୍ଟ କରିଛି ।

Advertisment

କେନ୍ଦ୍ର ସରକାର ଦିଲ୍ଲୀକୁ ନେଇ ଆଣିଥିବା ବିବାଦୀୟ ଅଧ୍ୟାଦେଶକୁ ନେଇ କେଜ୍ରିୱାଲ ସମସ୍ତ ବିରୋଧୀଦଳଙ୍କ ସମର୍ଥନ ଲୋଡିଥିଲେ । ଅନେକ ବିରୋଧୀଦଳ କେଜ୍ରିୱାଲଙ୍କୁ ସଂସଦରେ ସମର୍ଥନ କରିବାକୁ କଥା ଦେଇଥିବା ବେଳେ କଂଗ୍ରେସ କିନ୍ତୁ ନିରବ ଥିଲା । ଯାହାକୁ ନେଇ ପାଟନାରେ ହୋଇଥିବା ବିରୋଧୀ ମେଣ୍ଟ ବୈଠକର ଅଧାରୁ ଫେରି ଆସିଥିଲେ କେଜ୍ରିୱାଲ । ଏହାପରେ ବିରୋଧୀମେଣ୍ଟରେ କେଜ୍ରିୱାଲ ରହିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟ ବୈଠକର ଗୋଟିଏ ଦିନ ଆଗରୁ କଂଗ୍ରେସ ତାର ମତ ସ୍ପଷ୍ଟ କରିଛି । ଗତ କାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା ଦଳୀୟ ବୈଠକରେ କଂଗ୍ରେସ ସ୍ପଷ୍ଟ କରିଛି କି ସଂସଦରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସ୍ପଷ୍ଟ କରିବା ପରେ ଆମ୍ ଆଦମୀ ପାର୍ଟି ବିରୋଧ ମେଣ୍ଟ ବୈଠକରେ ଯୋଗ ଦେବା ନେଇ ନିଷ୍ପତ୍ତି କରିଛି । ଏନେଇ ରବିବାର ଦିନ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ରାଘବ ଚଡ୍ଡା କହିଛନ୍ତି କି ଦଳର କିଛି ବରିଷ୍ଠ ନେତା ଆସନ୍ତା କାଲି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀମେଣ୍ଟ ବୈଠକରେ ଯୋଗଦେବାକୁ ଯାଉଛନ୍ତି । ଏନେଇ ପାର୍ଟିର ପଲିଟିକାଲ ଅଫେୟାର୍ସ କମିଟି ବୈଠକରେ ସ୍ଥିର ହୋଇଥିବା କଥା ରାଘବ ଚଡ୍ଡା କହିଛନ୍ତି ।