ଗୋପାଳପୁରରେ ଉଦଘାଟିତ ହେଲା ଟାଟା ଚା’ର ପ୍ୟାକେଜିଂ ୟୁନିଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

76

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପରିସରରେ ଟାଟା ତରଫରୁ ଟାଟା ଟି ପ୍ୟାକେଜିଙ୍ଗ୍‌ ୟୁନିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହି ପ୍ୟାକେଜିଙ୍ଗ୍‌ ୟୁନିଟ ଉଦ୍‌ଘାଟନ କରିଛନ୍ତି। ଶହେ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପର କାମ ୧୮ମାସ ମଧ୍ୟରେ ସମାପ୍ତ କରାଯାଇ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି ୟୁନିଟ୍‌ରେ ଗଞ୍ଜାମ ଜିଲ୍ଲାର ୯ଶହରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇ ପାରିବେ। ଏହା ଦେଶର ସବୁଠାରୁ ବଡ଼ ଟି ପ୍ୟାକେଜିଙ୍ଗ୍‌ ୟୁନିଟ୍‌ ଭାବେ ବିକଶିତ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ୟୁନିଟ୍‌ ନିର୍ମିତ ହୋଇଛି । ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ୧୫ ନିୟୁତ କେଜି ରହିଛି । ଯାହାକି ୫୦ ନିୟୁତ କେଜି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ୟୁନିଟ୍ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଭଳି ରାଜ୍ୟର ଆବଶ୍ୟକତାକୁ ପୂରଣ କରିବ। ଏହା ଭାରତର ଦ୍ବିତୀୟ ସର୍ବବୃହତ ୟୁନିଟ୍‌ ବୋଲି ସୂଚନା ଦିଆଯାଇଛି ।

ଏହି ୟୁନିଟ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଟାଟା ଗ୍ରୁପ୍‌ର ଭୂମିକାକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଟାଟାର ଏକ ପ୍ରମୁଖ ଭୂମିକା ରହିଥିବା କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ସହଭାଗୀତାରେ ମଧ୍ୟ ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୋଭିଡ୍‌ ମହାମାରୀ ସମୟରେ ଟାଟା ତରଫରୁ ଦିଆଯାଇଥିବା ଅମ୍ଳଜାନ ସହାୟତା, ପ୍ଲାଣ୍ଟ୍‌ ପ୍ରତିଷ୍ଠା ଓ ଅନ୍ୟାନ୍ୟ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଟାଟା ଗ୍ରୁପ୍‌କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଉତ୍ତମ ପ୍ରଦର୍ଶନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତରେ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଗରେ ରହିଆସିଛି। ପେଟ୍ରୋ କେମିକାଲ୍‌, ଫୁଡ୍‌ ପ୍ରୋସେସିଂ, ଗାର୍ମେ‌ଣ୍ଟ୍‌ସ ଭଳି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରି ଚାଲିଛି ଓଡ଼ିଶା । ଶିଳ୍ପର ବିକାଶଧାରା ଯେତିକି ଆଗେଇବ ଓଡ଼ିଶାରେ ସେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶାରେ ଶିଳ୍ପର ବିକାଶଧାରା ଉପରେ ସୂଚନା ଦେଇଥିଲେ ।