ଲୋକାର୍ପିତ ହେଲା ବାଲେଶ୍ୱର ମେଡିକାଲ କଲେଜ । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଘୋଷଣା, ପର୍ଯ୍ୟାୟକ୍ରମେ ଆଗକୁ ରାଜ୍ୟରେ ହେବ ୩ଟି ମେଡିକାଲ କଲେଜ

41

କନକ ବ୍ୟୁରୋ: ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ମେଡିକାଲ କଲେଜର ନାମକରଣ କରାଯାଇଛି । ଏହି କଲେଜ ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଅଂଚଳର ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବ ।

ଲୋକାର୍ପିତ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ସଭାକୁ ସମ୍ବୋଧିତ କରି ସେ ଆଗକୁ ରାଜ୍ୟର ଭଦ୍ରକ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଛି ।

କଲେଜ ପାଇଁ କେନ୍ଦ୍ର ସରକାର ୬୫ କୋଟି ଓ ରାଜ୍ୟ ସରକାର ୧୩୦କୋଟି ଟଙ୍କା ଦେଇଛନ୍ତି । ରାଜ୍ୟରେ ମେଡିକାଲ ସିଟ୍ ସଂଖ୍ୟା ୪ଶହରୁ ଏକ ହଜାରକୁ ବଢିଛି । ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।