କନକ ବ୍ୟୁରୋ : ଅନୁଗୁଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ସେହିଭଳି ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ପ୍ରଦାନ କରିଛନ୍ତି ନବୀନ । ଯାହାଦ୍ୱାରା ଜିଲ୍ଳାର ୭୫ ହଜାର ସ୍ୱାବଲମ୍ବୀ ମହିଳା ଉପକୃତ ହେବେ । ଏହାବାଦ୍ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହୋଇଛି ।

Advertisment

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ । ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଦେଶର ଆଗୁଆ ଜିଲ୍ଲା । ଏଠାରେ ଅନେକ ଶିଳ୍ପ ରହିଛି । ନିଯୁକ୍ତି ସୁଯୋଗ ବଢିଛି, ଅର୍ଥନୀତି ଆଗକୁ ବଢିଛି । ଏବେ ଅନୁଗୁଳରେ ୧୮୦୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଜିଲ୍ଲାର ବିକାଶ ଧାରାକୁ ଆହୁରି ମଜବୁତ କରିବ । ଅନୁଗୁଳ ଜିଲ୍ଲାରେ ୨ଟି ବଡ ପାନୀୟ ଜଳ ପ୍ରକଳ୍ପ କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି । ଜିଲ୍ଲାର ୪୧ଟି ପଞ୍ଚାୟତର ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବେ ।

ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକ ରାଜ୍ୟ ଓ ରାଜ୍ୟ ବାହାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ମିଶନ ଶକ୍ତିର ମା’ ମାନେ ମୋତେ ଭେଟୁଛନ୍ତି । ସେମାନଙ୍କ ସଫଳତା କହୁଛନ୍ତି । ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ମିଶନ ଶକ୍ତି ମା’ଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ । ଆଗାମୀ ୫ ବର୍ଷରେ ଏସଏଚଜି ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯିବ । ଅନୁଗୁଳର ମିଶନ ଶକ୍ତି ମା’ ମାନଙ୍କୁ ୨୪୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି । ଯାହା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଉଦ୍ୟୋଗୀ ଭାବେ ପରିଚୟ ଦେବ ।