ଚାଷୀଙ୍କ ପାଇଁ ଆକ୍ସନ ମୋଡରେ ମୋହନ ସରକାର । ଧାନମଣ୍ଡି ଜଗିବ ସିସିଟିଭି, ଗାଡ଼ିରେ ଲାଗିବ ଜିପିଏସ୍ । ଚଳିବନି ମିଲରଙ୍କ ମନମାନି ।

113

କନକ ବ୍ୟୁରୋ: ନୂଆ ସରକାରରେ ନୂଆ ବ୍ୟବସ୍ଥା । ଧାନ କିଣାରେ ସ୍ୱଚ୍ଛତା ଆଣିବାକୁ ବଡ଼ ପଦକ୍ଷେପ । ଧାନ କିଣାବିକାରେ ହେଉଥିବା ଦୁର୍ନୀତି ରୋକିବାକୁ ତତ୍ପର ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଚାଷୀଙ୍କ ସ୍ୱାର୍ଥ ପାଇଁ ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଦୁର୍ନୀତି ରୋକାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦୁଇ ମାସ ଭିତରେ ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ଦୁର୍ନୀତି କଲେ ଘଟଣା ସ୍ଥଳରେ ନିଆଯିବ ଆକ୍ସନ ।

ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର
ଆଉ କ୍ଷତି ସହିବେନି ଚାଷୀ

ଚାଷୀଙ୍କ ପାଇଁ ନୂଆ ସରକାରଙ୍କ ପଦକ୍ଷେପ । ନିର୍ବାଚନ ପୂର୍ବରୁ ଏମଏସପି ବୃଦ୍ଧି ପାଇଁ ପ୍ରତିଶ୍ରୁତି । ଏବେ ପ୍ରତି ବ୍ଲକରେ ଶିତଳ ଭଣ୍ଡାର ଖୋଲିବାକୁ ପ୍ରସ୍ତୁତି । ଏହା ହେଲେ ଆଉ ନଷ୍ଟ ହେବନି ଚାଷୀଙ୍କ ଅମଳ । ଉପଯୁକ୍ତ ପାରିଶ୍ରମିକ ପାଇପାରିବେ ରାଜ୍ୟର ଚାଷୀ । ଶୀତଳ ଭଣ୍ଡାର ନେଇ କୃଷି ବିଭାଗ ସହ ଆଲୋଚନା ହୋଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ସରାକରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଚାଷୀ ।

ପୂର୍ବରୁ ଧାନ କିଣାରେ ସ୍ୱଚ୍ଛତା ରହୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଦେଖା ଦେଉଥିଲା ଅସନ୍ତୋଷ । ଏବେ କିନ୍ତୁ ଆଉ ଚାଲିବନି ମିଲର୍ସଙ୍କ ମନମାନି । ଦୁର୍ନୀତି ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏବେ ଦେଖିବାର କଥା ପ୍ରତିଶ୍ରୁତି କିପରି ପାଳନ କରୁଛନ୍ତି ମୋହନ ସରକାର ।