ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ମହାପ୍ରଭୁଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ; ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ

1,013

କନକ ବ୍ୟୁରୋ: ଓଡିଆ ନୂତନ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାବିଷୁବ ସଂକ୍ରାନ୍ତି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ ବୋଲି କହିଛନ୍ତି ନବୀନ ।

ସେପଟେ ଆଜି ମହାବିଷୁବ ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜିଠାରୁ ଆରମ୍ଭ ହେଉଛି ଓଡିଆ ନୂଆ ବର୍ଷ, ପ୍ରଚଳିତ ହେବ ନୂଆ ପାଞ୍ଜି । ମହାବିଷୁବ ସଂକ୍ରାନ୍ତିଙ୍କୁ ରାଜ୍ୟରେ ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଇଛି । ତେଣୁ ଓଡିଆ ପଞ୍ଜିକାର ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ । ଆଜି ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତିରେ ପଣା ପାନ କରାଯାଏ । ଏହି ଦିନ ବିଭିନ୍ନ ଦେବା-ଦେବୀ ମନ୍ଦିରରେ ଛତୁଆ ଓ ପଣାଭୋଗ ବିଧି ପ୍ରଚଳିତ । ମହାବିଷୁବ ସଂକ୍ରାନ୍ତି ।

ଏହି ଦିନ ସୂର୍ଯ୍ୟ ରାଶି ଚକ୍ରର ପ୍ରଥମ ରାଶି ମେଷରେ ଅବସ୍ଥାନ କରୁଥିବାରୁ ଏହା ମେଷ ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ପୃଥିବୀର ଉତର ଗୋଲାର୍ଧ ଓ ଦକ୍ଷିଣ ଗୋଲାର୍ଧ ମଧ୍ୟସ୍ଥିତ ବିଷୁବ ବୃତ୍ତ ବା ବିଷୁବକ୍ରାନ୍ତି ଉପରେ ଅବସ୍ଥାନ କରୁଥିବାରୁ ଏହା ବିଷୁବ ସଂକ୍ରାନ୍ତି । କୁହାଯାଏ, ସୂର୍ଯ୍ୟଙ୍କର ଏହି ଉତରାୟଣ ଗତି ଦେବତାଙ୍କ ଦିନ । ତେଣୁ ଏହି ଦିନ ନୂଆ ପାଞ୍ଜି ପ୍ରଚଳନ ହେବାର ବିଧି ରହିଛି ।ତେବେ କରୋନା କଟକଣା ଯୋଗୁଁ ଏ ବର୍ଷ ପଣା ସଂକ୍ରାନ୍ତି ପାଳନ ହୋଇପାରିବ ନାହିଁ । କେବଳ ନଆ ପାଞ୍ଜି ପ୍ରଚଳନ ହେବ ।