ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ଯନ୍ତ୍ରଣା: ପଞ୍ଜୀକରଣ କରି ୮୦% ଅପେକ୍ଷା କରିଛନ୍ତି, କେବେ ଫେରିବେ, ଉତ୍ତର କାହା ପାଖେ ନାହିଁ; ଏଯାଏ ୫୯ ଟ୍ରେନ୍ ଆସିଛି, ୭୦% ଲୋକ ଗଞ୍ଜାମର

ଅଟକି ରହିଥିବା ଅନ୍ୟ ଜିଲ୍ଲା ଲୋକ ଚିତ୍କାର କଲେଣି

531

କନକ ବ୍ୟୁରୋ: ନିଜ ଲୋକଙ୍କୁ ବାହାରେ ଅଟକାଇ ହେବ ନାହିଁ। ସେମାନେ ନିଜ ନିଜ ଘରକୁ ଫେରିବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାହାର ରାଜ୍ୟରେ ଅଟକିଥିବା ପ୍ରବାସୀ ଓଡ଼ିଆଙ୍କୁ ପଞ୍ଜୀକରଣ ପାଇଁ ସ୍ପେସାଲ୍ ସେଲ୍ ଖୋଲିଲେ। ବଛା ବଛା ଅଫିସରଙ୍କୁ ଦାୟିତ୍ବ ଦିଆଗଲା। ପ୍ରବାସୀ ଫେରିବେ ବୋଲି ସରପଞ୍ଚଙ୍କୁ ଜିଲ୍ଲାପାଳ କରାଗଲା, ଗାଁ ଗାଁରେ ସଙ୍ଗରୋଧ କେନ୍ଦ୍ର ଖୋଲିଲା। ଫେରିବା ପାଇଁ ପ୍ରବାସୀଙ୍କ ଚିତ୍କାର ଏବେ ଗମ୍ଭୀର ରୂପ ଧାରଣ କଲାଣି। ରାଜ୍ୟ ସରକାର ଏଦିଗରେ ଯେଭଳି ଆଗ୍ରହ ଦେଖାଇବା କଥା ତାହା ଆଉ ପରିଦୃଷ୍ଟି ହେଉନଥିବା ଅଭିଯୋଗ ବଢିବାରେ ଲାଗିଲାଣି। ସେପଟେ ଅଟକିଥିବା ପ୍ରବାସୀଙ୍କ ଦୁର୍ଦଶା ବି ସଙ୍ଗିନ୍ ମୋଡ଼ ନେବା ଆରମ୍ଭ କରିଛି। ଏଯାଏ ପଞ୍ଜୀକୃତଙ୍କ ମଧ୍ୟରୁ ୮୦% ଆସିପାରିନଥିବା ଜଣାପଡ଼ିଛି।

ସରକାରୀ ସୂଚନା ଅନୁସାରେ, ଲକ୍ଷେ କି ପାଞ୍ଚଲକ୍ଷ ନୁହେଁ, ପାଖାପାଖି ୧୦ଲକ୍ଷରୁ ଅଧିକ ପ୍ରବାସୀ ସରକାରଙ୍କ ପାଖରେ ନିଜକୁ ପଞ୍ଜୀକୃତ କରିଛନ୍ତି, ସେମାନେ ଓଡ଼ିଶା େଫରିବେ। ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିଭିନ୍ନ ସମୟରେ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇଥିଲେ। କରୋନା ମହାମାରୀ ଜନିତ ବିପର୍ଯ୍ୟୟ ଏବେ ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଲାଣି। ସ୍ଥିତି ଏତେ ଗମ୍ଭୀର ଯେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ଆରମ୍ଭ ହୋଇଛି। ସୁରଟରେ ପୁଲିସ ଜଣକୁ ବାଡ଼େଇ ବାଡ଼େଇ ମାରିଥିବା ଅଭିଯୋଗ େହାଇଛି। କାକଟପୁରର ଯୁବକ ଚାଲି ଚାଲି ଆସିବା ବେଳେ ଜଳେଶ୍ବରରେ ପ୍ରାଣ ହରାଇଛନ୍ତି। ମାଲକାନଗିରି ବ୍ଲକ ସେରପାଲ୍ଲୀ ଗାଁର ବାସୁଦେବ କୁମାରୀ (୧୭)ଙ୍କର ବି ହାଇଦ୍ରାବାଦରେ ମୃତ୍ୟୁ ଘଟିଛି। ଏ ତାଲିକା ଆହୁରି ଲମ୍ବା। ଅର୍ଥାତ୍ ଯେତିକି ଲୋକ କରୋନାରେ ମରିନାହାନ୍ତି, ତା ଠାରୁ ଅଧିକ ଲକ୍‌ଡାଉନ ଯନ୍ତ୍ରଣାରେ ପ୍ରାଣ ହରାଇଲେଣି।

ହେଲେ କୌତୂହଳ କଥା ହେଉଛି, ପଞ୍ଜୀକୃତ ଲୋକଙ୍କ ମଧ୍ୟରୁ ଯେତିକି ଆସିଛନ୍ତି, ସେମାନଙ୍କ ସଂଖ୍ୟା ମୋଟ ପଞ୍ଜୀକୃତଙ୍କର ୨୦% ବି ନୁହେଁ। ସରକାରୀ ତଥ୍ୟ କହୁଛି, ଆଜି ସୁଦ୍ଧା ମାତ୍ର ୧ଲକ୍ଷ ୫୧ ହଜାର ଲୋକ ଫେରିଛନ୍ତି। ରେଳବାଇର ଜଣେ ଅଧିକାରୀଙ୍କ ସୂତ୍ରରୁ ମି​ଳିଥିବା ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟକୁ ଇତିମଧ୍ୟରେ କେନ୍ଦ୍ର ସରକାର ୧୨୦୦ ଶ୍ରମିକ ସ୍ପେସାଲ ଟ୍ରେନ୍ ପଠାଇଛନ୍ତି। ଓଡ଼ିଶାକୁ ୫୯ ଟ୍ରେନ୍ ଆସିଛି, ଯେଉଁଥିରେ ପାଖାପାଖି ୭୨ହଜାର ଲୋକ ଆସିଛନ୍ତି। ଯେତିକି ଲୋକ ଟ୍ରେନରେ ଫେରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କେବଳ ଗଞ୍ଜାମର ବୋଲି ସୂଚନା ମିଳିଛି।

ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା କ୍ଷେତ୍ରରେ ଯେତିକି ବିଳମ୍ବ ହେଉଛି, ରାଜ୍ୟ ବାହାରେ ସେମାନଙ୍କ ସ୍ଥିତି ସେତିକି ସଙ୍ଗିନ୍ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ଅନ୍ୟ ଜିଲ୍ଲାରୁ ଲୋକ ଆଣିବା ଲାଗି ପ୍ରଶାସନ ଆଗ୍ରହ ଦେଖାଉନାହିଁ, ତାହା ବୁଝାପଡ଼ୁନାହିଁ। ଗୋଟିଏ ପଟେ ସେଠାରେ କାମଧନ୍ଦା ନାହିଁ, ଅନ୍ୟ ପଟେ ଭୋକର ଜ୍ବାଳା ଏବେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ଅତ୍ୟନ୍ତ ଗମ୍ଭୀର କରିସାରିଲେଣି। କେନ୍ଦ୍ର ସରକାର ଆଜି ଲକ୍‌଼ଡାଉନ-୪ ଘୋଷଣା କରିଛନ୍ତି। ଅର୍ଥାତ୍ ମେ’ ୩୧ ଯାଏ କଟକଣା ଜାରି ରହିବ। ରାଜ୍ୟ ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନ କରନ୍ତି, ତେବେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ହେଲେ କାହିଁକି ପ୍ରବାସୀଙ୍କୁ ଆଣିବାରେ ବିଳମ୍ବ କରାଯାଉଛି, ଆବଶ୍ୟକ ସଙ୍ଗରୋଧ, ମେଡ଼ିକାଲ ସୁବିଧା ଆଦି ପର୍ଯ୍ୟାପ୍ତ ନୁହେଁ କି ନା ଆଉ କିଛି ରାଜନୀତି ରହିଛି, ଏମିତି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।