ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କହିଲେ ବହୁତ ଭଲ ହୋଇଛି, ନିଶ୍ଚୟ ଅର୍ଡର କରିବି । 

812

କନକ ବ୍ୟୁରୋ : କଟକ ଅରିଲୋ ଠାରେ ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଂଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆଉ ଏହାସହ ବ୍ୟାଟେରୀ ଚାଳିତ ଗାଡିରେ ପୂରା ପ୍ଲାଣ୍ଟ ବୁଲିବା ପରେ ମିଠା ଦହି ଖାଇଛନ୍ତି ନବୀନ । ଏହି ମିଠା ଦହିକୁ ନବୀନ ବେଶ ପସନ୍ଦ ମଧ୍ୟ କରିଛନ୍ତି  । ଆଉ ଏହାସହ ଏହାକୁ ନିଶ୍ଚୟ ଅର୍ଡର କରିବେ ବୋଲି କହିଛନ୍ତି ।

ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ । ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢିବ । ଏହି ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଂଟ ହେବା ଦ୍ୱାରା ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଡ଼ାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଂଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ଓମଫେଡର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି  । ବର୍ତ୍ତମାନ ଓମଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡ୍‌ର ୪୦୫ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।