ଗୋଶାଳାକୁ ନିଜ ଓଜନର ରୂପା ଦାନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । କହିଲେ ଗୋ ହତ୍ୟା ଅପରାଧୀଙ୍କୁ ୧୨ ବର୍ଷ ଜେଲ୍

201

କନକ ବ୍ୟୁରୋ : ଚର୍ଚ୍ଚାରେ ରହିବାକୁ ଏବେ ରାଜନେତା ଠାରୁ କଳାକାର ସମସ୍ତେ କିଛି ନା କିଛି ନିଆରା କାର୍ଯ୍ୟ କରୁଛନ୍ତି । ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏମିତି ଏକ ନିଆରା କାର୍ଯ୍ୟ କରିଛନ୍ତି ଯାହାକି ତାଙ୍କୁ ଚର୍ଚ୍ଚିତ କରିଛି । ସେ ରାଜ୍ୟରେ ଥିବା ଗୋଶାଳା ମାନଙ୍କର ଉନ୍ନତି କରିବାକୁ ନିଜ ଓଜନ ଅର୍ଥାତ ୮୫ କେଜି ର ରୂପା ଗୋଶାଳାକୁ ଦାନ କରିଛନ୍ତି । ସୋମବାରଦିନ ଗାନ୍ଧୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ରୂପା ଦାନ କରିଛନ୍ତି । ଏହି ରୂପା ଗୋଶାଳାରେ ଥିବା ପଶୁ ମାନଙ୍କ କଲ୍ୟାଣ କାମରେ ଲାଗିବ ବୋଲି କୁହାଯାଇଛି । ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହାକୁ ‘ରାଜତ ତୁଳା’ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମକୁ ମହାଜନ ଟ୍ରଷ୍ଟ ମାନେ ଆୟୋଜନ କରିଥିଲେ । ଏଥିରେ ଏକ ତରାଜୁର ଗୋଟିଏ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଦିଆଯାଇଥିଲା ଓ ଅନ୍ୟ ପଟରେ ରୂପା ରଖା ଯାଇଥିଲା । ଉଭୟ ପାଖ ସମାନ ହେବା ପରେ ଜଣାପଡିଥିଲା କି ରୂପାଣୀଙ୍କ ଓଜନ ୮୫ କେ.ଜି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୂପାଣୀ କହିଛନ୍ତି କି ତାଙ୍କ ସରକାର ପଶୁଧନର କଲ୍ୟାଣ ପାଇଁ ପ୍ରତିବଦ୍ଧ । ତାଙ୍କ ସରକାର ଗୋହତ୍ୟା ବିରୋଧରେ କଡା ଆଇନ୍ କରିଛି । ଏହି ଆଇନ ବଳରେ ଗୋହତ୍ୟାକାରୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । ଏହାସହ ତାଙ୍କ ସରକାର ପତଙ୍ଗ ଉତ୍ସବ ମାଧ୍ୟମରେ ଆଘାତ ପ୍ରାପ୍ତ ପକ୍ଷୀ ମାନଙ୍କର ଚିକିତ୍ସା ପାଇଁ ‘କରୁଣା ଅଭିଯାନ’ ଆରମ୍ଭ କରିଛନ୍ତି । ଏହାସହ ରାଜ୍ୟସରକାରଙ୍କ ତରଫରୁ ୩୫୦ ଟି ଭ୍ରାମ୍ୟମାଣ ପଶୁ ଚିକିତ୍ସା ଭ୍ୟାନ ଚଳାଇବା ସହ ଗୋଶାଳାକୁ ଆର୍ଥିକ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନାସକଣ୍ଠା ଓ ମେହସାଣାରେ ୨ ଟି ଗୋଚର ବିକାଶ କାର୍ଯ୍ୟକୁ ଉଦଘାଟନ କରିଥିଲେ ।