ମହାମାରୀ ମୁକାବିଲା ପାଇଁ ନବୀନଙ୍କ ମନ୍ତ୍ର । ଅମ୍ଲଜାନ ବେଡ ପ୍ରସ୍ତୁତ ରଖ, ଔଷଧର ଅଭାବ ଯେପରି ନରୁହେ ଦୃଷ୍ଟି ଦିଅ । 

257

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । କୋଭିଡ ସମୀକ୍ଷା ବୈଠକରେ ୬ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଏହାଛଡା ସର୍ବାଧିକ ବେଡକୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ଦ୍ୱିତୀୟ ଲହର ଅନ୍ୟ ରାଜ୍ୟରେ ସାଂଘାତିକ ସ୍ଥିତି ଉତ୍ପନ୍ନ କରିଥିବା ବେଳେ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଅତି ଖରାପ ସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ସମସ୍ତ କରୋନା ରୋଗୀଙ୍କୁ ଯେପରି ଚିକିତ୍ସା ସୁବିଧା ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି କହିଛନ୍ତି ନବୀନ । ଯୁଦ୍ଧକାଳୀନ ଭିତ୍ତିରେ ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ଅଧିକରୁ ଅଧିକ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହାବାଦ ରାଜ୍ୟରେ ଅମ୍ଲଜାନ କେତେ ପରିମାଣରେ ଉପଲବ୍ଧ ରହିଛି  ସେ ବାବଦରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ରାଜ୍ୟରେ କରୋନା ମୁକାବିଲା ପାଇଁ ଆବଶ୍ୟକୀୟ ଔଷଧ କେତେ ପରିମାଣରେ ଅଛି ଓ ଏହାର ଅଭାବ ଯେପରି ନରୁହେ ତାହା ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି ।

ସବୁଠୁ ବଡ କଥା ହେଲା, ବିଭିନ୍ନ ରାଜ୍ୟରେ ଲକଡାଉନ କାରଣରୁ ଏବେ ପ୍ରବାସୀ ଶ୍ରମିକ ପୁଣିଥରେ ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି । ତେଣୁ ପ୍ରବାସୀଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଥିଲା ତାହାକୁ ପୁଣିଥରେ ଆରମ୍ଭ କରିବାକୁ କୁହାଯାଇଛି । ବାହାରୁ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କରୋନାର ୨ୟ ଲହର ବାବଦରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ମିଶନ ଶକ୍ତି ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧିଙ୍କୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସହଯୋଗ ବିନା ଏହି ଲଢେଇରେ ବିଜୟ ସମ୍ଭବ ନୁହେଁ । ତେଣୁ ଲୋକଙ୍କୁ କରୋନା ଗାଇଡଲାଇନ ମାନିବାକୁ ଅପିଲ କରିଛନ୍ତି ନବୀନ ।