ପୁଣି ଫେରିବ ଭକ୍ତକବି ମଧୁସୂଧନ ରାଓଙ୍କ ବର୍ଣ୍ଣବୋଧ । ଅବିକଳ ପ୍ରକାଶ କରିବେ ସରକାର, ମୁଦ୍ରଣ ପାଇଁ ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

269

କନକ ବ୍ୟୁରୋ : ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଓଡ଼ିଆ ଶିକ୍ଷାର ଏନ୍ତୁଡିଶାଳ । ଏହି ପୁସ୍ତକ ସହ ପ୍ରତ୍ୟେକ ଓଡ଼ିଆଙ୍କର ଭାବ ପ୍ରବଣତା ଯୋଡି ହୋଇ ରହିଛି । ଖୁସିର କଥା ହେଉଛି, ହଜି ଯାଇଥିବା ମଧୁସୂଦନ ରାଓଙ୍କ ମୂଳ ବର୍ଣ୍ଣବୋଧ ପୁଣି ଥରେ ପ୍ରକାଶ କରିବେ ସରକାର । ଏଥିପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନକୁ ବର୍ଣ୍ଣବୋଧର ମୂଳ କପି ସଂଗ୍ରହ ଓ ସଂପାଦନ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ମଧୂସୂଦନ ରାଓଙ୍କ ପରିବାରଠୁ ମୂଳ କପି ସଂଗ୍ରହ କରିବା ସହିତ ଏକ କମିଟି କରାଯାଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି । ଡିସେମ୍ବର ୩୧ ସୁଦ୍ଧା ମୁଦ୍ରଣ ଶେଷ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ।

ମୂଳ ବର୍ଣ୍ଣବୋଧରେ କୌଣସି ପରିବର୍ତନ ହେବନାହିଁ । ଏହାର ଅବିକଳ ମୁଦ୍ରଣ କରାଯିବ । ବର୍ତମାନ ସମୟରେ ପ୍ରାସଙ୍ଗିକତା ନଥିବା ଶବ୍ଦକୁ ହଟେଇ ଦଆଯିବ, କିନ୍ତୁ ପୁସ୍ତକର ଶେଷରେ ସେଗୁଡିକୁ ସ୍ଥାନିତ କରାଯିବ, ଯାହାଦ୍ୱାରା ପିଲାମାନେ ମୂଳ ବର୍ଣ୍ଣବୋଧରେ ଥିବା ଶବ୍ଦଗୁଡିକ ବିଷୟରେ ଜାଣିପାରିବେ ।

ସେହିଭଳି ମୁଦ୍ରଣ ପରେ ଓସେପା ମାଧ୍ୟମରେ ରାଜ୍ୟର ପ୍ରାଥମିକ ସ୍କୁଲର ପିଲାମାନଙ୍କ ପାଖକୁ ପଠାଯିବ । ଏହାଛଡା ଓଡିଶା ପରିବାର ଜରିଆରେ ଓଡିଶା ବାହାରେ ଏବଂ ଦେଶ ବାହାରେ ଯେଉଁ ପିଲାମାନେ ରହୁଛନ୍ତି , ସେମାନଙ୍କ ପାଖକୁ ଭର୍ଚୁଆଲ ବର୍ଣ୍ଣବୋଧ ପହଁଚାଇବାକୁ ଯୋଜନା କରୁଛି ଭାଷା ପ୍ରତିଷ୍ଠାନ ।

ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସଂଶୋଧୀତ ବର୍ଣ୍ଣବୋଧରେ ଅନେକ ତ୍ରୁଟି ଥିବା ଅଭିଯୋଗ ଆସିଥିଲା ଏବଂ ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା । ମାନ୍ୟବର ହାଇକୋର୍ଟଙ୍କ ସଂଶୋଧିତ ବର୍ଣ୍ଣବୋଧ ଉପରେ ରହିତାଦେଶ ପରେ, ମୂଳ ବର୍ଣ୍ଣବୋଧକୁ ଅଧାର କରି ପୁଣି ଥରେ ମୁଦ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।