ବାଲେଶ୍ୱର ପୌରାଞ୍ଚଳ ପାଇଁ ନବୀନଙ୍କ ବଡ ଘୋଷଣା । ବିଭିନ୍ନ ପ୍ରକଳ୍ପ ପାଇଁ ୧୫୫ କୋଟି ଟଙ୍କାର ଭେଟି, ସକାଳେ ସମୀକ୍ଷା କରି ଫେରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।

127

କନକ ବ୍ୟୁରୋ : ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବାଲେଶ୍ୱର ମ୍ୟୁନିସିପାଲଟି ଅଞ୍ଚଳର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପୂର୍ତ୍ତ ସଚିବ ସକାଳେ ବାଲେଶ୍ୱର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୌରାଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି ।

୧.   ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ

୨.      ତୁମୂଳିଆ ଗେଟ ଫ୍ଲାଇଓଭର ଠାରୁ  ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ । ଏହା ସହିତ ଏ ରାସ୍ତାରେ ଆଧୁନିକ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରାଯିବ । ବାଲେଶ୍ଵର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି ।

୩.      ବାଲେଶ୍ଵରର କ୍ରୀଡାବିତ ମାନଙ୍କ ଭିତରେ ଥିବା ପ୍ରତିଭା ର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ମଲ୍ଟି ପ୍ରପୋଜ ଇନଡୋର ହଲ୍ ଓ ସ୍ୱିମିଂ ପୁଲ୍ ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ଉଚ୍ଚମାନର ତାଲିମ ବ୍ୟବସ୍ଥା କରାଯିବ ।

୪. ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା ବୁଢାବଳଙ୍ଗ ନଦୀରେ  ୫୩ କୋଟି ଟଙ୍କା ଖର୍ଚ୍ଚରେ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ  ବୁଢାବଳଙ୍ଗ ନଦୀକୂଳର ଆବଶ୍ୟକ ବିକାଶ କରାଯିବ ।

୫. ବାଲେଶ୍ଵର  ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ , ଶୋଭାରାମପୁର ପୋଖରୀ , ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦଯ୍ୟକରଣ ଓ ବିକାଶ କରାଯିବ ।

୬.    ବାଲେଶ୍ଵର  ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ କେନାଲ ଓ ତତସଂଯୁକ୍ତ ରାସ୍ତା ଗୁଡିକର ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।

 ଏହି ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ ,” ବାଲେଶ୍ଵର ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ନିମନ୍ତେ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ସେହପରି ଗତ କିଛି  ମାସ ହେବ ବାଲେଶ୍ଵର  ମ୍ୟୁନିସିପାଲିଟି ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ , କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି । ବାଲେଶ୍ୱରବାସୀଙ୍କୁ କଥା ଦେଇଥିଲି ଯେ, ବାଲେଶ୍ୱର ମ୍ୟୁନିସପାଲିଟିର ବିକାଶ ଉପରେ ଧ୍ୟାନ ଦେବୁ । ଯାହାକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ପାଇଁ ବଡ ଘୋଷଣା କରିଛନ୍ତି ନବୀନ ।