ସୋନପୁର ବୋଲେରୋ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା ।

207

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସେମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ।

ଆଜି ଭୋରରୁ ସୋନପୁର ମହାନଦୀ ବ୍ରିଜ୍ ଉପରେ ବୋଲେରୋ ଟ୍ରକ୍ ମୁହାଁମୁହିଁ ଧକ୍କାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ବାହାଘର ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ସାଢେ ୧୨ରୁ ଗୋଟାଏ ଭିତରେ ମହାନଦୀ ପୋଲ ଉପରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସେପଟେ ବସ୍ତାରେ ମଧ୍ୟ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ବାଇକୁ ଟ୍ରକ ପିଟି ଦେବା ଫଳରେ ଏହି ଅଘଟଣ ଘଟିଛି ।