ମୟୁରଭଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ । କହିଲେ, ବିଜେଡି ସରକାର ଚାଷୀଙ୍କ ସରକାର, ସାଢେ ୪କୋଟି ଓଡିଶାବାସୀ ମୋର ପରିବାର

175

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟରେ ପଂଚମ ଥର ପାଇଁ ସରକାର ଗଢିବା ଲାଗି ଜୋରଦାର କସରସ ଆରମ୍ଭ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରଚାର କରିଛନ୍ତି ନବୀନ । ଏହି ମର୍ମରେ ନବୀନ ମୟୁରଭଂଜର ଠାକୁରମୁଣ୍ଡାରେ ଦଳ ତରଫରୁ ଆୟୋଜିତ ଏକ ଜନସଭାରେ ସାମିଲ ହୋଇଛନ୍ତି ନବୀନ ।

ତେବେ ଏଠାରେ ବି ସମାନ କଥା ଦୋହରାଇଛନ୍ତି ନବୀନ । ନିଜ ଅଭିଭାଷଣରେ କହିଛନ୍ତି କି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ । ତେବେ ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିଁ ବକେୟା କାଳିଆ ଯୋଜନାର ୨ଟି କିସ୍ତିର ୧୦ ହଜାର ଟଙ୍କା ଚାଷୀଙ୍କୁ ଦିଆଯିବ କହି ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ ।

ନବୀନ ଆହୁରୀ ମଧ୍ୟ କହିଛନ୍ତି ଯେ, ମା’ମାନେ ହେଉଛନ୍ତି ପ୍ରକୃତ ବିକାଶ ଡବଲ ଇଂଜିନି । ବିଜେଡି ମା’ମାନଙ୍କୁ ସାଥି କରିଛି । ମାମାନଙ୍କ ପାଇଁ କାମ କରିଛି । କେନ୍ଦ୍ରୀୟ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାର ଡବଲ ତଥା ୧୦ ଲକ୍ଷ ଟଙ୍କା ମିଳିବ । ମିଶନ ଶକ୍ତି ମା’ମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ବୋନସ ମିଳିବ ବୋଲି କହି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଗୋଟି ଚାଳନା କରିଛନ୍ତି ନବୀନ । ‘ବିଜେଡି ସରକାର ଚାଷୀଙ୍କ ସରକାର, ଗରିବଙ୍କ ସରକାର , ମହିଳାଙ୍କ ସରକାର, ଶ୍ରମିକଙ୍କ ସରକାର, ଯୁବକଙ୍କ ସରକାର ଏବଂ ସମସ୍ତେ ମୋର ପରିବାର । ସାଢେ ୪କୋଟି ଓଡିଶାବାସୀ ମୋର ପରିବାର’ ବୋଲି କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।