ପ୍ରାର୍ଥୀ ହେବାକୁ ଚାକିରୀରୁ ନେଲେ ଅବସର, ହେଲେ ଏବେ ଚନ୍ନିଙ୍କ ଭାଇଙ୍କୁ କାହିଁକି ଟିକେଟ ଦେଲା ନାହିଁ କଂଗ୍ରେସ ?

309

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ଭାଇଙ୍କୁ ଟିକେଟ ଦେଲା ନାହିଁ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚନ୍ନି ନିଜ ଭାଇ ଡାକ୍ତର ମନୋହର ସିଂଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ପ୍ରାର୍ଥୀ ହେବାକୁ ବି ମନୋହା ସିଂ ଡାକ୍ତରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ହେଲେ ତାଙ୍କୁ ଟିକେଟ ମିଳୁ ନଥିବା ସୂଚନା ପାଇବା ପରେ ସେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି । ଅନ୍ୟପଟେ ପଞ୍ଜାବ ବିଧାନସଭା ପାଇଁ କଂଗ୍ରେସ ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିବା ପରେ ମନସା, ମୋଗା, ମଲୋଟ ଓ ବର୍ସି ପଠାନା ସହିତ ଅନେକ ବିଧାନସଭା କ୍ଷେତ୍ରରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଥିବା କଥା କୁହାଯାଇଛି ।

ସେପଟେ ଚନ୍ନିଙ୍କ ଭାଇଙ୍କୁ ଟିକେଟ ନମିଳିବା ପଛରେ ସିଦ୍ଧୁଙ୍କର ହାତ ଥିବା କଥା କୁହାଯାଉଛି । ସିଦ୍ଧୁ ମନୋହର ସିଂଙ୍କ ସ୍ଥାନରେ ବର୍ତମାନର ବିଧାୟକ ଥିବା ଗୁରପୀତ ସିଂ ଜିପିଙ୍କୁ ଟିକେଟ ଦେବା ପକ୍ଷରେ ରହିଛନ୍ତି ସିଦ୍ଧୁ । ଏନେଇ କୁହାଯାଉଛି କି ଡାକ୍ତର ମନୋହର ସିଂ ଏବେ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ।

କହିରଖୁ କି ଶନିବାର ଦିନ ପଞ୍ଜାବ କଂଗ୍ରେସ ତରଫରୁ ବିଧାନସଭା ନିର୍ବାଚନ ପାଇଁ ୮୬ ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଚମକୌର ସାହିବ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ  ଓ ସିଦ୍ଧୁ ଅମୃତସର ଆସନରୁ ନିର୍ବାଚନ ଲଢିବେ । ଏହା ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ନାନକ ଆସନରୁ ନିର୍ବାଚନ ଲଢିବେ ।