କନକ ବ୍ୟୁରୋ : ପଞ୍ଜାବରେ ଧର୍ମୀୟ ଭାବନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ ହତ୍ୟା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଅମୃତସରରେ ଗୁରୁଗ୍ରନ୍ଥ ସାହିବକୁ ଛୁଇଁବାକୁ ଚେଷ୍ଟା କରିବା ପରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଦୁଇ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେପଟେ କପୁରଥାଲାରେ ସମାନ ଢଙ୍ଗରେ ଆଉ ଜଣଙ୍କ ଜୀବନ ଯାଇଛି । ଆଉ ଏସବୁ ଭିତରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

Advertisment

ପଂଜାବରୁ ଆସିଥିବା ଦୃଶ୍ୟ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି । ଶିଖମାନଙ୍କ ପବିତ୍ର ଧର୍ମଗ୍ରନ୍ଥକୁ ଅସମ୍ମାନ କରିବା ଅଭିଯୋଗରେ ଦୁଇ ଦିନରେ ଦୁଇଜଣଙ୍କୁ କରାଯାଇଛି ହତ୍ୟା । ଶନିିବାର ସନ୍ଧ୍ୟାରେ ଅମ୍ରିତସରର ସ୍ୱର୍ଣ୍ଣମନ୍ଦିରରେ ଜଣେ ବ୍ୟକ୍ତି ପ୍ରାର୍ଥନାବେଳେ ବାଡ ଡେଇଁ ଗୁରୁଗ୍ରନ୍ଥ ସାହିବ ପାଖରେ କୃପାଣ ଉଠାଇବାକୁ ଚେଷ୍ଟା କରିଥିଲେ । ଏହାପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଆକ୍ରମଣରେ ଉତ୍ତର ପ୍ରଦେଶର ଜଣେ ଯୁବକଙ୍କ ଜୀବନ ଯାଇଛି । ମାମଲାକୁ ନେଇ ପଂଜାବରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିଜେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଦୁଇ ଦିନ ମଧ୍ୟରେ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ କପୁରଥାଲାରେ ମଧ୍ୟ ସମାନ ଘଟଣା ଘଟିଛି । ଶିଖ ଧର୍ମୀୟ ପତାକା “ନିଶାନ ସାହିବ’କୁ ଅସମ୍ମାନ ଅଭିଯୋଗରେ ନିଜାମପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ବିରୋଧୀ ଶିରୋମଣି ଅକାଳି ଦଳ ଏହି ଘଟଣାରେ ରାଜ୍ୟ ସରକାର ଉପରେ ବର୍ଷିଛି । ଏହା ହତ୍ୟା ନୁହେଁ ବରଂ ଷଡଯନ୍ତ୍ର ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାର ରାଜନୀତିକରଣ ଆରମ୍ଭ ହୋଇଯାଇଛି ।