ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ଆଗୁଆ ପ୍ରସ୍ତୁତି,ତ୍ୱରିତ ଉଦ୍ଧାର ଓ ପୁର୍ନଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ବନ୍ୟା ପ୍ରବଣ ଅଞ୍ଚଳରେ ଆଗାମୀ ଦୁଇରୁ ୩ ମାସ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ପଦକ୍ଷେପ ।

357

କନକ ବ୍ୟୁରୋ : ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଗୁଆ ପ୍ରସ୍ତୁତି,ତ୍ୱରିତ ଉଦ୍ଧାର ଓ ପୁର୍ନଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଯେ ବିଭିନ୍ନ ବିପର୍ଯ୍ୟୟ ଯୋଗୁ ଲୋକଙ୍କ ଉପରକୁ ଆସୁଥିବା ବିପଦକୁ କମ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି । ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁର୍ନଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି । ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟରେ ଲୋକଙ୍କ ଦୈନଦିନ ଜୀବନକୁ ଗଭୀର ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗରେ ନିୟନ୍ତ୍ରଣକୁ କରିବା ପାଇଁ ନିଅଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଭଲ ସ୍ଥିତିରେ ଅଛି । ବନ୍ୟା ପ୍ରବଣ ଅଂଚଳରେ ଆଗାମୀ ଦୁଇରୁ ୩ ମାସ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ପଦକ୍ଷେପ ନିଆଯାଇଥିବା ନବୀନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଏସଓପି  (Standard Operating Procedure) ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।