କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଜର୍ମାନୀରୁ ଫେରୁଥିଲେ । ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା । ସାମାଜିକ ଗଣମାଧ୍ୟମରେ ଦାବି ହେଉଛି ଯେ ନିଶାରେ ଥିବା କାରଣରୁ ଫ୍ରାଙ୍କଫ୍ରଟ ବିମାନ ବନ୍ଦରରେ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା । ସେହିଭଳି ବିରୋଧୀ ଦଳର ନେତା ମଧ୍ୟ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଟ୍ୱିଟ କରିଲେଖିଛନ୍ତି, ସହଯାତ୍ରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଲୁଫ୍ୟାନ୍ସ ଫ୍ଲାଇଟରୁ ଓହ୍ଲାଇ ଦିଆଯାଇଥିଲା । ସେ ନିଶାରେ ଥିବାରୁ ଏହିଭଳି କରାଯାଇଥିଲା । ସେ ଚାଲିବା ଅବସ୍ଥାରେ ନଥିଲେ, ତେଣୁ ବାଧ୍ୟହୋଇ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

Advertisment

ଏହିଭଳି ରିପୋର୍ଟ ପଞ୍ଜାବୀ ସମୁଦାୟ ପାଇଁ ଲଜ୍ଜାର ବିଷୟ । ତେବେ ଏହାକୁ ନେଇ ଆପ ପକ୍ଷରୁ ଜବାବ ରଖାଯାଇଛି । ଆପର ମୁଖପାତ୍ର ମଲବିନ୍ଦର ସିଂହ କାଙ୍ଗ କହିଛନ୍ତି, ଏହା ସବୁ ବିରୋଧୀଙ୍କ ଗୋଟିଏ ପ୍ଲାନ । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ଏହିଭଳି କରାଯାଉଛି । ପଞ୍ଜାବର ମ୍ରୁଖ୍ୟମନ୍ତ୍ରୀ ନିବେଶ ସୃଷ୍ଟି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ବେଳେ ବିରୋଧୀ ଏହାକୁ ଗ୍ରହଣ କରିପାରୁନାହାନ୍ତି ।

ଆଉ ଗୋଟିଏ ରିପୋର୍ଟରେ କୁହାଯାଇଛି ମାନ ୧୧ରୁ ୧୮ ସେପ୍ଟେମ୍ବର ଯାଏ ଜର୍ମାନୀ ଗସ୍ତରେ ଥିଲେ । ୧୮ ତାରିଖରେ ତାଙ୍କର ଫ୍ଲାଇଟ ରହିଥିଲା । ତେବେ ସ୍ୱାସ୍ଥ୍ୟ ଖରାପ କାରଣରୁ ସେ ବିମାନରେ ଫେରିପାରିନଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ ନିର୍ଦ୍ଧାରିତ ସମୟରେ ତାଙ୍କ ଫ୍ଲାଇଟରେ ବସିନଥିଲେ । ଭାରତୀୟ ବାଣିଜ୍ୟ ଦୂତାବାସ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ବିମାନ ବନ୍ଦରରୁ ଆଣିବା ପାଇଁ ପୁଣିଥରେ ଗାଡି ପଠାଇଥିଲେ ।