କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ନେଇ ବଡ ବୟାନ ରଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏଥିସହିତ ୨୬ ବିରୋଧୀ ଦଳଙ୍କ ମେଣ୍ଟ ସହ ବିଚାର ବିମର୍ଶ କରି ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୋଦୀଙ୍କୁ ନେଇ ପ୍ରତିକ୍ରିୟା ଦେବା ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅହଙ୍କାରୀ ନହେବା ଉଚିତ୍ । ୨୦୧୪ରେ ସେ କେବଳ ୩୧ ପ୍ରତିଶତ ଭୋଟ୍ ପାଇଥିଲେ । ବାକି ୬୯ ପ୍ରତିଶତ ଭୋଟ୍ ତାଙ୍କ ବିରୋଧରେ ଯାଇଥିଲା । ଗତ ମାସରେ ଯେତେବେଳେ ବିରୋଧୀ ଦଳମାନଙ୍କ ବୈଠକ ହେଇଥିଲା, ସେତେବେଳେ ଏନଡିଏ ଡରିଯାଇଥିଲା ବୋଲି ଗେହଲଟ କହିଛନ୍ତି । ତେବେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ୫୦ ପ୍ରତିଶତ ଭୋଟ୍ କେବେ ବି ହାତେଇପାରିବନି ବୋଲି ଗେହଲଟ୍ କହିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରେ କଂଗ୍ରେସ ପାଇଁ ହିଁ ମୋଦୀ ପ୍ରଧାନମନ୍ତ୍ରୀ ହେଇଥିଲେ । ଲୋକତନ୍ତ୍ରରେ ଭବିଷ୍ୟକୁ ନେଇ ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ । କାହିଁକି ନା ଏଠି ଜନତା ହେଉଛନ୍ତି ଭାଗ୍ୟ ବିଧାତା । ଆମ ସମସ୍ତଙ୍କୁ ଜନତାଙ୍କ ପସନ୍ଦକୁ ସମ୍ମାନ କରିବାକୁ ପଡିବ ବୋଲି ଗେହଲଟ କହିଛନ୍ତି ।