କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ପାଇଁ ଅଡୁଆ ବଢିବାରେ ଲାଗିଛି । ସଂପୃକ୍ତ ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ଗିରଫ ହେବା ପରେ ଏବେ ଇଡି ନଜରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । କିଛିଦିନ ତଳେ ସଂପୃକ୍ତ ମାମଲାର ଯାଂଚ ପାଇଁ ଇଡି ତରଫରୁ କେଜ୍ରିୱାଲଙ୍କୁ ନୋଟିସ କରାଯାଇଥିଲା । ତାଙ୍କୁ ନଭେମ୍ବର ୨ ତାରିଖ ଗୁରୁବାର ହାଜର ହେବାକୁ ନୋଟିସରେ ଆଦେଶ ଦିଆଯାଇଥିଲା । ହେଲେ ଆଜି କେଜ୍ରିୱାଲ ଇଡିରେ ହାଜର ହେବାକୁ ଥିବା ବେଳେ ସେ ହାଜର ହୋଇନାହାଁନ୍ତି । ଏନେଇ ପୂର୍ବରୁ ସେ ଇଡିକୁ ଏକ ଜବାବ ପତ୍ର ପଠାଇଥିଲେ । ସେଥିରେ ସେ ଲେଖିଥିଲେ କି ତାଙ୍କ ବିରୋଧରେ ବିଜେପି ଇଶାରାରେ ଇଡି ନୋଟିସ ପଠାଇଛି ।

Advertisment

ସେପଟେ ଅରବିନ୍ଦ କେଜ୍ରିୱାଲ ମଧ୍ୟପ୍ରଦେଶର ସିଂଗରୋଲିରେ ଏକ ନିର୍ବାଚନ ରାଲି କରୁଥିବାରୁ ଆଜି ସେ ଇଡି ନିକଟରେ ହାଜର ହୋଇପାରି ନାହାଁନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ଉପସ୍ଥିତ ରହିବେ । ଏହା ସହ କେଜ୍ରିୱାଲ ମଧ୍ୟ ଛତିଶଗଡରେ ନିର୍ବାଚନୀ ରାଲି କରିବେ । ଏହି କାରଣରୁ ଦୁଇଦିନିଆ ମଧ୍ୟପ୍ରଦେଶ ଓ ଛତିଶଗଡ ଗସ୍ତରେ ବାହାରି ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।