ପଞ୍ଜାବ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ରଣନୀତି, ଶିକ୍ଷକଙ୍କ ସହ ଧାରଣାରେ ବସିଲେ କେଜ୍ରିୱାଲ

148

କନକ ବ୍ୟୁରୋ : ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ନୂଆ ରଣନୀତି ଆରମ୍ଭ କରିଛନ୍ତି । ଶନିବାର ଦିନ କେଜ୍ରିୱାଲ ମୋହାଲୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସୂଚନା ମୁତାବକ ଦୀର୍ଘ ୧୧ ବର୍ଷ ହେବ ପଞ୍ଜାବର ଶିକ୍ଷକମାନେ ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଥିବା ବେଳେ କୌଣସି ସରକାର ତାଙ୍କ ଦାବି ଶୁଣୁ ନାହାଁନ୍ତି । ହେଲେ ଏବେ କେଜ୍ରିୱାଲ ଧାରଣାରେ ବସିଥିବା ଶିକ୍ଷକଙ୍କୁ ସମର୍ଥନ କରି ସେମାନଙ୍କ ସହ ଧାରଣାରେ ବସିଛନ୍ତି ।

କହିରଖୁ କି କେଜ୍ରିୱାଲ ପ୍ରଥମେ ଚଣ୍ଡିଗଡରେ ପହଂଚି ଶିକ୍ଷକ ଆନ୍ଦୋଳନକୁ ରାଜ୍ୟର ଗମ୍ଭୀର ସମସ୍ୟା ବୋଲି କହିଥିଲେ । ସେ କହିଥିଲେ କି ଶିକ୍ଷକମାନେ ଏବେ ଶ୍ରେଣୀଗୃହ ଛାଡି ଟିଭି ଟାୱାରରେ ଚଢୁଛନ୍ତି । ସୂଚନା ଥାଉକି ଜଣେ ବେରୋଜଗାର ଇଟିଟି ଶିକ୍ଷକ ଚଣ୍ଡଗଡ ଠାରେ ଏକ ଟିଭି ଟାୱାର ଉପରେ ଚଢି ପ୍ରତିବାଦ କରିଥିଲେ । ଏନେଇ କେଜ୍ରିୱାଲ ଚନ୍ନି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

 

ଗୋଟିଏ ପଟେ ପଞ୍ଜାବ କଂଗ୍ରେସର କହଳ ତୁଟୁ ନଥିବା ବେଳେ ବିରୋଧୀ ଦଳରେ ଥିବା ‘ଆପ୍’ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛି । ତେଣୁ ପଞ୍ଜାବର ପ୍ରତିଟି ସମସ୍ୟା ଉପରେ ଆପ୍ ଦଖଲ ଦେବାରେ ଲାଗିଛି । ଏବେ ଶିକ୍ଷକଙ୍କ ଧାରଣା ସ୍ଥଳରେ କେଜ୍ରିୱାଲ ପହଂଚି ସେମାନଙ୍କ ଦାବିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କି ସରକାର ତୁରନ୍ତ ମେରିଟି ଲିଷ୍ଟ ବାହାର କରନ୍ତୁ  ଓ ଜଣେ ଶିକ୍ଷକ ମାସିକ ୬ ହଜାର ଟଙ୍କାତ ବେତନରେ କିଭଳି ପରିବାର ଚଳାଇବା ତାହାର ଏକ ତାଲିକା ସରକାର ଦିଅନ୍ତୁ ।  ଅନ୍ୟପଟେ ଧାରଣା ସ୍ଥଳରେ କେଜ୍ରିୱାଲଙ୍କୁ ପାଇଁ ଖୁସି ହୋଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକମାନେ ।