କନକ ବ୍ୟୁରୋ: ଦିଲ୍ଲୀରେ ହୋଇଥିବା ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜେଲରୁ ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସିଏମ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ବନ୍ଧରେ ଏକ ନିର୍ଦ୍ଦେଶ ଦେଇଛନ୍ତି। ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଳମନ୍ତ୍ରୀ ଆତିଶି ପୂର୍ବାହ୍ନ ୧୦ ଟାରେ ଏକ ବଡ଼ ସାମ୍ବାଦିକ ସମ୍ମିଳନୀ କରିଥିବା ଜଣାପଡିଛି ।

କେଜ୍ରିୱାଲଙ୍କ ଏଭଳି ନିର୍ଦ୍ଦେଶ ଜାରି ପରେ ଆତିଶି କହିଛନ୍ତି , ଜେଲରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଜନସାଧାରଣଙ୍କ ପ୍ରତି ଚିନ୍ତା ରହିଛି। ‌ତେଣୁ ସେ ଜେଲରୁ ନିର୍ଦ୍ଦେଶ ଜାରି କରି ସରକାର ଚଳାଉଛନ୍ତି। ଅପରପକ୍ଷରେ ବିଜେପି ସରକାର ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି। ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ଆତିଶି କହିଛନ୍ତି। ନିର୍ବାଚନ ପାଖେଇ ଆସିବା ସହିତ ବିଜେପିର ଭୟ ବୃଦ୍ଧି ପାଉଥିବା ସେ କହିଛନ୍ତି।