ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚିଠିର ହେବ ତଦନ୍ତ । ଜେଲକୁ କାଗଜ ଅନୁମତି ନାହିଁ, ଚିଠି ଆସିଲା କିପରି? ଆତିଶୀଙ୍କୁ ପଚରାଉଚରା କରିବ ଇଡି ।

955

କନକ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ସରକାରର ଜଳ ମନ୍ତ୍ରୀ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଜଳ ସମସ୍ୟାର ସମାଧାନ ପାଇଁ ବିଭାଗର ମନ୍ତ୍ରୀ ଆତିଶୀ ମର୍ଲେନାଙ୍କୁ ଲେଖିଥିବା ଚିଠିର ତଦନ୍ତ କରିବ ଇଡି ।

ଗତକାଲି ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ । ଏହାପରେ କେଜ୍ରିୱାଲ ଲେଖିଥିବା ଏକ ଚିଠିକୁ ଦେଖାଇଥିଲେ । ଏବେ ଏହାକୁ ନେଇ ଇଡି ସନ୍ଦେହ ପ୍ରକାଶ କରିଛି । ହେପାଜତରେ ଥିବା ବେଳେ କୌଣସି ଷ୍ଟେସନାରୀ ଜିନିଷ ଅନୁମତି ନାହିଁ । ଏପରି ସ୍ଥିତିରେ ଆତିଶୀ କିଭଳି ଚିଠି ପାଇଲେ ତାର ତଦନ୍ତ କରିବ ବୋଲି ସୂଚନା ରହିଛି । ତେଣୁ ଆତିଶୀଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି । ସେହିପରି ସିସିଟିଭି ଫୁଟେଜ ମଧ୍ୟ ଯାଂଚ କରିପାରେ ।

ଗତକାଲି ଆମ୍ ଆଦମୀ ପାର୍ଟି କହିଥିଲା, କେଜ୍ରିୱାଲ ତାଙ୍କ ଓକିଲଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ ହୋଇଛନ୍ତି । ୨୮ ତାରିଖ ଯାଏ ଏବେ ସେ ଇଡି ହେପାଜତରେ ରହିଛନ୍ତି । ସେ ଜେଲରେ ଥାଇ ସରକାର ଚଳାଇବେ ବୋଲି ନିଷ୍ପତି ନେଇଥିବା ଆପ୍ କହିଛି । ବିରୋଧୀ କିନ୍ତୁ ଏହାକୁ ବିରୋଧ କରୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦରକାର ବୋଲି ଦାବି କରିଛି ବିଜେପି । ଏହାକୁ ନେଇ କୋର୍ଟରେ ଏକ ପିଆଇଏଲ ମଧ୍ୟ ଦାୟର ହୋଇଛି ।