ଆପର ନୂଆ ସଚିବ ହେଲେ ପଙ୍କଜ ଗୁପ୍ତା, କେଜ୍ରିୱାଲଙ୍କୁ ବଡ ଦାୟିତ୍ୱ

102

କନକ ବ୍ୟୁରୋ : ରବିବାର ଦିନ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବା ବେଳେ ପଙ୍କଜ ଗୁପ୍ତାଙ୍କୁ ପାର୍ଟିର ସଚିବ ଓ ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କୁ କୋଷାଧ୍ୟକ୍ଷ ପଦ ମିଳିଛି । ଏହି ୩ ଜଣ ପଦାଧିକାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ    ।

କହିରଖୁ କି ଚଳିତ ବର୍ଷ ପ୍ରାରମ୍ଭରେ ଆପ୍ ତରଫରୁ ପାର୍ଟି ସମ୍ବିଧାନର କିଛି ପରିବର୍ତ୍ତନ କରାଯାଇଥିଲା । ପ୍ରଥମରୁ ଦଳର କୌଣସି ପଦରେ ଜଣେ ଅଧିକାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ଆଇନ ଥିବା ବେଳେ ଏବେ ତାହାକୁ ବଦଳାଇ ୫ ବର୍ଷ କରାଯାଇଛି ।

ଆଗାମୀ ବର୍ଷ ୟୁପି ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଛି । ଏହା ପୂର୍ବରୁ ଦଳ ପକ୍ଷରୁ ନୂଆ ପରିଷଦରେ ଉତ୍ତରଖଣ୍ଡରେ ମୁଖ୍ୟମନ୍ତ୍ରୀ ଆଶାୟୀ କର୍ଣ୍ଣଲ ଅଜୟ କୋଠିଆଲ, ପଞ୍ଜାବର ଭଗବନ୍ତ ମାନ, ଗୋଆର ରାହୁଲ ମହାମ୍ବ୍ରେ, ଗୁଜୁରାଟର ଜଣାଶୁଣା ଟିଭି କଳାକାର ଇସୁଦାନ ଗଡବୀଙ୍କୁ ସାମିଲ କରାଯାଇଥିଲା । ଏହାସହ ଗୁଜୁରାଟ, ପଞ୍ଜାବ, ଉତ୍ତରାଖଣ୍ଡରେ ଦୀର୍ଘଦିନ ଧରି ଦଳକୁ ମଜବୁତ କରିବାକୁ ପ୍ରୟାସ କରୁଥିବା ଦିନେଶ ମୋହନୀଆ,ଗୁଲାବ ସିଂ, ଆତିସୀ ଓ ରାଘବ ଚଡ୍ଡାଙ୍କୁ ବି ଦଳ ପରିଷଦରେ ସ୍ଥାନ ମିଳିଛି ।