ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।

ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି କରାଯାଇଛି । ଭୁବନେଶ୍ୱରର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଏମସିର ଦାୟିତ୍ୱ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇବ । ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।

ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ୟ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନଫୋରସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।

ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି ।

ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଟିଏ ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ୩ଟି ଜୁନିଅର ଇଂଜିନିୟର ଅନ୍ତର୍ଭୁକ୍ତ ।

ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ୟ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି ।

ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା । ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି । ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି । ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe