ଏସିଆଡରେ ରୌପ୍ୟ ବିଜୟ ସହ ହୃଦୟ ଜିତିଲେ ଓଡିଶାର ୪ ହକି କୁମାରୀ । ରୁପାଝିଅଙ୍କ ପାଇଁ କୋଟିଏ ଲେଖାଏଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

35

କନକ ବ୍ୟୁରୋ: ଜାକର୍ତା ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମ୍ର ଓଡିଆ ଖେଳାଳିଙ୍କୁ ମିଳିବ କୋଟିଏ ଲେଖାଏଁ ପୁରସ୍କାର । ଟିମ୍ ଇଣ୍ଡିଆରେ ଥିବା ୪ ଜଣ ଓଡିଆ ଖେଳାଳି ଲିଲିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଓ ନମିତା ଟପ୍ପୋଙ୍କୁ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି , ୪ ଜଣ ଓଡିଆ ଖେଳାଳି ଓଡିଶାର ଗର୍ବ ଓ ଗୌରବ ।

 

ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୮-୦ ଗୋଲରେ ମାତ୍ ଦେଇଥିଲା ମହିଳା ହକି ଦଳ । ମ୍ୟାଚ୍ରେ ନମିତା ଟପ୍ପୋଙ୍କ ପାସ୍ ବଳରେ ଇଣ୍ଡୋନେସିଆକୁ ଷଷ୍ଠ ଗୋଲ୍ ଦେଇଥିଲେ ଉଦିତା । ସେହିପରି ଦ୍ୱିତୀୟ ମ୍ୟାଚରେ କାଜାଖସ୍ତାନକୁ ୨୧-୦ରେ ମାତ୍ ଦେଇଥିଲା ଭାରତ । ଏହି ମ୍ୟାଚରେ ଲିଲିମା ମିଂଜଙ୍କ ଉପଯୋଗୀ ପାସ ପାଇ ଗୋଲ୍ ଦେଇଥିଲେ ସହଯୋଗୀ ଖେଳାଳି । ଟୁର୍ଣ୍ଣାମେଂଟରେ ମୋଟ ୫ଟି ମ୍ୟାଚ ଖେଳାଯାଇଥିଲା ବେଳେ ଓଡିଆ ଖେଳାଳିଙ୍କ ଉପଯୋଗୀ ପାସ୍ ଭାରତ ପାଇଁ ସଫଳତା ଆଣିଥିଲା ।

 

ଭାରତ ମହିଳା ହକି ଟିମ୍ ଶେଷଥର ପାଇଁ ୧୯୯୮ବ୍ୟାଙ୍କକ୍ ଏସିଆଡରେ ୧-୨ ଗୋଲରେ କୋରିଆଠୁ ହାରି ରୌପ୍ୟ ପଦକ ଜିତିଥିଲା । ମହିଳା ହକିରୁ ଏହା ହେଉଛି ଭାରତ ପାଇଁ ଷଷ୍ଠ ଏସିଆଡ୍ ପଦକ । ଯାହା ମଧ୍ୟରେ ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୩ କାଂସ୍ୟ ପଦକ ରହିଛି । ତେବେ ଦୂତି ଚାନ୍ଦଙ୍କ ଦୁଇଟି ରୁପା ପଦକ ପରେ ଏହି ଚାରି ଜଣ ଓଡିଆ ଝିଅ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ଏସୀୟ କ୍ରୀଡାରେ । ଫାଇନାଲରେ ଜାପାନଠାରୁ ହାରିଥିଲେ ମଧ୍ୟ ଏସିଆଡ୍ ସାରା ଚମକ୍ରାର ପ୍ରଦର୍ଶନ କରିଛନ୍ତି ଏମାନେ । ଏସିଆଡରେ ସିଲଭର ମେଡାଲ୍ ଜିତିଥିବା ଓଡିଆ ଖେଳାଳିଙ୍କ ପ୍ରତ୍ୟେକ କୋଚ୍ଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।