କନକ ବ୍ୟୁରୋ: ବାତ୍ୟା ‘ବୁଲବୁଲ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଆକାଶମାର୍ଗରୁ ସ୍ଥିତି ପରିଖିବା ପରେ ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା କରି ପ୍ରଭାବିତ ଜିଲ୍ଲା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ଏହି ପ୍ୟାକେଜ୍ ମୁତାବକ, ଅଣ-ଜଳସେଚିତ ଜମି ପାଇଁ ୩୩ପ୍ରତିଶତ ବା ଅଧିକ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ଟଙ୍କା ଇନପୁଟ୍ ସବସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ ।
‘ବୁଲବୁଲ’ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍
ଲୋକସେବା ଭବନରେ ସମୀକ୍ଷା ପରେ ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ #AfterCycloneBulBul#Odisha#KanakNews@CMO_Odisha@Naveen_Odisha#LokSevaBhawanpic.twitter.com/FsuuyHYopR— Kanak News (@kanak_news) November 11, 2019
ସେହିପରି, କୌଣସି କ୍ଷେତ୍ର ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡ଼ି ପରିମାଣ ୨ହଜାର ଟଙ୍କାରୁ କମ୍ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କା କମ୍ ହେବ ନାହିଁ । ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍ ପ୍ରଦାନ କରାଯିବ । ସେହିଭଳି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩ହଜାର ସ୍ପ୍ରେୟର ପ୍ରଦାନ କରାଯିବ । ବ୍ୟାଟେରୀ ଚାଳିତ ସ୍ପ୍ରେୟରରେ ସର୍ବାଧିକ ୩ହଜାର ୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ନିର୍ଦ୍ଦାରିତ କରାଯାଇଛି ।
ଅନ୍ୟପଟେ ରବି ଫସଲ ପାଇଁ ୧୦ ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବାକୁ ଥିବାବେଳେ ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ପାନବରଜର ପୁନଃରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ଆଉ ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ସହାୟତା ମିଳିବ । ସେହିପରି ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କୃଷିସାମଗ୍ରୀ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ୟାକେଜରେ ଉଲ୍ଲେଖ ରହିଛି । ଏହାବାଦ୍ ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବାପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡ଼ାନ୍ତ କରାଯିବ ସହ ୩୩ ପ୍ରତିଶତ ବା ଏହାଠୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ରବି ୨୦୧୯ ପାଇଁ ଦିଆଯାଇଥିବା ସ୍ୱଳ୍ପମିଆଦୀ ଋଣରେ ପରିବର୍ତ୍ତନ କରାଯିବ ।
ସେହିଭଳି କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ସହାୟତା ଘୋଷଣା କରାଯାଇଛି । ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉନଥିବା (୩ଟି ପ୍ରାଣୀ) ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ତେବେ ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪,୧୦୦ ଟଙ୍କା ଏବଂ ଆଶିଂକ କ୍ଷତି ହୋଇଥିବେ ଜାଲ ପାଇଁ ୨,୧୦୦ ଟଙ୍କ. ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍କା ପାଇଁ ୯ ହଜାର ୬୦୦ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବାକୁ ଥିବାବେଳେ ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା ଏବଂ ଇନପୁଟ୍ ସବସିଡି ଭାବରେ ହେକ୍ଟର ପିଛା ୮,୨୦୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଆସନ୍ତା ୧୮ ତାରିଖ ମଧ୍ୟରେ ପ୍ରଭାବିତ ହୋଇଥିବା ୬ଟି ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ସହ ୨୪ ତାରିଖ ମଧ୍ୟରେ ସହାୟତା ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତା ଏହା ପୂର୍ବରୁ ୧୪ ତାରିଖରେ କେନ୍ଦ୍ରୀୟ ଟିମ୍ ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ନେଇ ଓଡ଼ିଶା ଆସିବେ ବୋଲି ଏସଆରସି କହିଛନ୍ତି । ୧୪ ଏବଂ ୧୫ ଦୁଇ ଦିନ ଧରି ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବା ସହଦ କ୍ଷୟକ୍ଷତି ଆକଳନ କରି ୧୬ ତାରିଖରେ ନୂଆ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସଆରସି ପ୍ରଦୀପ୍ତ କୁମାର ଜେନା କହିଛନ୍ତି ।