ସ୍ୱର୍ଗଦ୍ୱାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଘୋଷଣା, ରହିବ ଅତ୍ୟାଧୁନିକ ବ୍ୟବସ୍ଥା । ସବୁ ଋତୁରେ ହେବ ସୁବିଧାରେ ଶବଦାହ ।

518

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଲୋକସେବା ଭବନରେ ବସିଥିବା ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି କହିବା ସହ ଏଠାରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ବି ଥିଲା ତାହା ଏବେ ଓଡିଶାବାସୀଙ୍କ ସେବାରେ ଲାଗିବ ବୋଲି ଘୋଷଣା କରିଛନ୍ତି । ଫୋନି ପରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡିଛନ୍ତି । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାରର ବିକାଶ କରାଯିବ ।

ଶବଦାହ ଠାରୁ ଆରମ୍ଭ କରି ଶବବାହକଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ବ୍ୟବସ୍ଥା କରାଯିବ । ଶବବାହକଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ରହିବ । ଏହାଛଡା ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।