ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ! ଥ୍ରି-ଟି ଉପରେ ଗୁରୁତ୍ୱ ଦେଇ ନବୀନ କହିଲେ, ଏଣିକି ସଚିବ ଯିବେ ଜିଲ୍ଲାକୁ

30

କନକ ବ୍ୟୁରୋ: ଏଣିକି ପ୍ରତି ମାସରେ ଜିଲ୍ଲାପାଳମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ । ପ୍ରତି ମାସରେ ସଚିବ ମାନେ ଜିଲ୍ଲା ଗସ୍ତରେ ଯାଇ ସରକାରୀ କାର୍ଯ୍ୟର ସମୀକ୍ଷା କରିବା ସହିତ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକ କିପରି ତଳସ୍ତରରେ କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ସଚିବାଲୟ ଠାରେ ଜିଲ୍ଲାପାଳମାନଙ୍କ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଗତ ଜୁଲାଇ ମାସରେ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ସେ ତିନୋଟି ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲେ। ସେଗୁଡ଼ିକ ହେଲା ଟେକନୋଲୋଜି, ଟିମ୍ ଓ୍ଵାର୍କ ଓ ଟ୍ରନ୍ସପାରେନି୍ସ। ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ସେ ବୈଷୟିକ ଜ୍ଞାନର ଉପଯୋଗିତା, ଦଳଗତ କାର୍ଯ୍ୟ ଓ ସ୍ୱଚ୍ଛତା ଉପରେ ଗତ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଥିଲେ । ସେହିପରି ଗତ ବୈଠକରେ ଦିଆଯାଇଥିବା ପରାମର୍ଶ ଉପରେ କଣ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବ ଓ ଜିଲ୍ଲାପାଳମାନଙ୍କୁ କହିଥିଲେ ।ଏହା ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୮ ମସିହା ମୌସୁମୀ ଆସିବାକୁ ଆହୁରି ୮ ମାସ ବାକି ଅଛି । ଏହି ସମୟ ମଧ୍ୟରେ ଆମକୁ ସମସ୍ତ ପ୍ରକାର ବିକାଶ କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ପଡ଼ିବ । ସେ ନିଜେ ଏହି ସବୁ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛି ଯେ, ପ୍ରତିମାସ ପ୍ରଥମ ସପ୍ତାହରେ ସଚିବମାନେ ୪ ଦିନ ପାଇଁ ଜିଲ୍ଲା ଗସ୍ତରେ ଯିବେ । ସେମାନେ ସରକାରଙ୍କ ଯୋଜନା ତଳସ୍ତରେ କିପରି କାର୍ଯ୍ୟକାରୀ କରାଯାଉଛି ତାର କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିବେ । ସରକାରୀ ଯୋଜନାର କାର୍ଯ୍ୟନ୍ଵୟନ ପାଇଁ ବିଭାଗୀୟ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ ସମ୍ପ୍ରସାରଣ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷେତ୍ର ପରିଦର୍ଶନରେ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏ ସମ୍ପର୍କୀତ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।