ପଞ୍ଜାବରେ କ୍ୟାପଟେନ ବନାମ କ୍ୟାପଟେନ୍, ଏବେ ୪୦ ବିଧାୟକଙ୍କ ନୂଆ ଦାବି

107

କନକ ବ୍ୟୁରୋ : ୨୦୨୨ ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପଞ୍ଜାବ ବିଧାନସଭାର ବିରୋଧୀ ଦଳ ଆପ ତା’ର କ୍ଷମତା ବୃଦ୍ଧି କରିବାରେ ଲାଗିଥିବା ବେଳେ ଶାସକ କଂଗ୍ରେସ କିନ୍ତୁ କନ୍ଦଳ କବଳରୁ ବାହାରି ପାରୁ ନାହିଁ । ସେଠାରେ କ୍ୟାପଟେନ ବନାମ କ୍ୟାପଟେନ କଳି ଦଳର କେନ୍ଦ୍ର ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏହାରି ମଧ୍ୟରେ ପୁଣି ପଞ୍ଜାବ କଂଗ୍ରେସରେ ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସର ୪୦ ଜଣ ବିଧ୍ରାକ ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି । ଏନେଇ ଶନିବାର ମଧ୍ୟାହ୍ନରେ ବିଧାୟକଦଳ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଯୋଗଦେବେ ।

ଏନେଇ ଶ୍ରୀ ରାୱତ ଏକ ଟ୍ୱିଟ କରି କହିଛନ୍ତି କି, ପଞ୍ଜାବ କଂଗ୍ରେସ ଦଳର ଅନେକ ବିଧାୟକ ବିଧାୟକ ଦଳ ବୈଠକ ଡାକିବାକୁ ଦାବି କରିଛନ୍ତି । ଏହି କ୍ରମରେ ୧୮ ସେପ୍ଟେମ୍ବରରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟ ଠାରେ ବୈଠକ ଅନୁଷ୍ଠିତ ହେବ । ଏନେଇ ବୈଠକରେ ଯୋଗ ଦେବାକୁ ସେ ଦଳର ସମସ୍ତ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟତଃ ସିଦ୍ଧୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ମେଳି ହେଉଛି । ଏବେ ଏହି ମେଣ୍ଟକୁ ମଜବୁତ କରିବାକୁ ସିଦ୍ଧୁ ୪୦ ବିଧାୟକଙ୍କୁ ଏକଜୁଟ କରି ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖିଛନ୍ତି  ।