ଆସନ୍ତା ୨୬ରୁ ରାଜ୍ୟରେ ବଢ଼ିବ ଶୀତ । ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

Advertisment
ଆସନ୍ତା ୨୬ରୁ ରାଜ୍ୟରେ ବଢ଼ିବ ଶୀତ । ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ଏବେ ପାଗ ମେଘୁଆ ଓ କୋହଲା ରହିଛି । ଆଜି ପର୍ଯ୍ୟନ୍ତ ଏହି ଭଳି ପାଗ ରହିବା ସହ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୨୪ ତାରିଖ ଆଡ଼କୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆକାଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ । ଫଳରେ ଧୀରେଧୀରେ ରାତ୍ରି ତାପମାତ୍ରା କମିବ । ୨୬ ତାରିଖ ଆଡ଼କୁ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିଯିବ। ଫଳରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କହାଯାଇଛି ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିରୁ ରାଜ୍ୟରେ ପାରଦସ୍ତର ହ୍ରାସ ପାଇବ । ୨୩ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ଓ ଉପକୂଳରେ ୨୬ରୁ ଶୀତ ବଢ଼ିବ । ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୨୩ରୁ ୨୬ ତାରିଖ ରାତି ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ସେହିପରି ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ତାରିଖ ଭିତରେ ପ୍ରାୟ ୬ ଡିଗ୍ରି କମିବ। ସମ୍ଭବତଃ ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଡ. ପଶୁପାଳକ କହିଛନ୍ତି ।

ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ଏହା ନଭେମ୍ବରରେ ବଙ୍ଗୋପସାଗରର ଚତୁର୍ଥ ଲଘୁଚାପ ହେବ। ୨୯ ବା ୩୦ ତାରିଖରେ ଏହା ତାମିଲନାଡ଼ୁ ଉପକୂଳ ଛୁଇଁବ। ଫଳରେ ତାମିଲନାଡୁରେ ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଓଡ଼ିଶାରେ ୨୩ ଓ ୨୪ତାରିଖରେ ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ। ପରେ ୨୮ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ରାଜ୍ୟର ବାକି ଜିଲ୍ଲାରେ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ ।

ଚତୁର୍ଥ ଲଘୁଚାପର ପ୍ରଭାବରେ ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୯ରୁ ପାଗ ମେଘୁଆ ଓ କୋହଲା ରହିବା ସହ କିଛି ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଡ. ପଶୁପାଳକ ଆହୁରି କହିଛନ୍ତି ଯେ ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ହେତୁ ନଭେମ୍ବର ସୁଦ୍ଧା ଧାନ ଅମଳ କରିଦିଅନ୍ତୁ। ମାଟିରେ ପାଗ ଦେଖି ରବି ଅଣଧାନ ଫସଲ ଲଗାନ୍ତୁ। ରବି ଧାନ କରିବାକୁ ଥିଲେ ଡିସେମ୍ବର ୧୫ ତାରିଖ ସୁଦ୍ଧା ତଳିଘେରା ପ୍ରସ୍ତୁତ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe