ରାଜ୍ୟରେ ଜାରି ରହିବ କୋହଲା ପାଗ ! କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

274

କନକ ବ୍ୟୁରୋ : ଜାରି ରହିବ କୋହଲା ପାଗ । ବଡ଼ ବର୍ଷା ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା ଲାଗିରହିବ । ମଙ୍ଗଳବାର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏହା ପରେ ପାଗରେ ପରିବର୍ତନ ଆସିବ । ୧୦ ତାରିଖରେ ସେଭଳି ବର୍ଷା ହେବାର ନାହିଁ । ୧୧ ତାରିଖ ବେଳକୁ ସାମାନ୍ୟ ବଢ଼ିପାରେ ବୋଲି ଆକଳନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆହୁରି କୁହାଯାଇଛି ଯେ ମଙ୍ଗଳବାର ପୂର୍ବାହ୍ନଠାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଦେବଗଡ଼, ଯାଜପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ଉତ୍ତର ଓଡ଼ିଶା ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ । ଏଥିପ୍ରତି ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା‌ ଅବଲମ୍ବନ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ହୀରାକୁଦରେ ୨୫.୭ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୨.୬, ଚାନ୍ଦବାଲିରେ ୨୦.୨, କୋରାପୁଟରେ ୧୨.୮, ସମ୍ବଲପୁରରେ ୧୦.୬, ଭୁବନେଶ୍ବରରେ ୯ ମିମି ବର୍ଷା ହୋଇଛି । ତେବେ ଆଜି ଦିନରେ ବାଲେଶ୍ବର ଓ ଚାନ୍ଦବାଲିର ତାପମାତ୍ରା ବୃଦ୍ଧି ପାଇଛି । ଚାନ୍ଦବାଲିର ତାପମାତ୍ରା ୩୫.୨ ଡିଗ୍ରି ଥିବା ବେଳେ ବାଲେଶ୍ବରରେ ୩୫ ଡିଗ୍ରି ରହିଥିଲା ।