ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା। ଧସିଲା ଘର, ଏକାଧିକ ଲୋକ ଚାପିହୋଇଯାଇଥିବା ଆଶଙ୍କା

94

କନକ ବ୍ୟୁରୋ:  ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ବାଦଲ ଫଟା ବର୍ଷାରେ କେଉଁଠି ପୋଲ ଭାସିଯାଇଛି ତ ଆଉ କେଉଁଠି ଯାତ୍ରୀଙ୍କ ସହ କାରକୁ ଭସାଇନେଇଛି ବନ୍ୟା । ନୈନିତାଲରେ ମଧ୍ୟ ଘଟିଛି ଏପରି ଦୁଃଖଦ ଘଟଣା । ବାଦଲ ଫଟା ଯୋଗୁଁ ନୈନିତାଲ ଜିଲ୍ଲାର ରାମଗଡରେ ଭୂସ୍ଖଳନ ଘଟିଛି । ଏଥିରେ ଅନେକ ଘର ମଧ୍ୟ ମାଟିରେ ମିଶିଯାଇଛି । ଫଳରେ ମାଟି ତଳେ ଏକାଧିକ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି । ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି , ଏନଡିଆରଏଫ ଟିମ୍ ସହ ଉଦ୍ଧାର କରିଛନ୍ତି । ଏଥିରେ କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି ସେଠାରେ ଅନେକ ଲୋକ ଚାପିହୋଇରହିଥିବା ସୂଚନା ରହିଛି ।

ସୋମବାର ଲଗାଣ ବର୍ଷାରେ ଏଠାରେ ୩ଜଣ ନେପାଳ ଶ୍ରମିକ ମୃତ୍ୟୁ ହୋଇଛି । ଏମାନେ ପାଉରୀ ଜିଲ୍ଲା ସାମଖାଲ ନିକଟରେ ଏକ ଟେଣ୍ଟ ପକାଇ ରହୁଥିଲେ । ହେଲେ ଭୁସ୍ଖଳନ ଯୋଗୁଁ ଏମାନେ ପୋତିହୋଇ ପ୍ରାଣ ହରାଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ସହରରେ ରାସ୍ତା ଉପରେ ବନ୍ୟାଜଳ ବେଲଗାମ ଗତିରେ ପ୍ରବାହିତ ହେଉଛି । ଫଳରେ ଏଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।