ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ଭାସିଗଲେ ଭାରତୀୟ ସେନାର ୨୩ ଜଣ ଯବାନ, ଚାଲିଛି ସର୍ଚ୍ଚ ଅପରେସନ ।

148

କନକ ବ୍ୟୁରୋ: ସିକ୍କିମରେ ଜଳପ୍ରଳୟ । ଦୁର୍ଦ୍ଦଶା ଆଣିଲା ବାଦଲ ଫଟା ବର୍ଷା । ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୩ ଜଣ ଯବାନଙ୍କ ସହ ୩୦ଜଣ ଭାସିଯାଇଥିବା ସୂଚନା ମିଳିଛି । ଏବେ ବି ଯବାନଙ୍କ କୌଣସି ଖୋଜ ଖବର ନାହିଁ । ଚାଲିଛି ସର୍ଚ୍ଚ ଅପରେସନ ।

ମଙ୍ଗଳବାର ଅଧରାତିରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ଛାରଖାର ହୋଇଛି ସିକ୍କିମର ଅନେକ ସ୍ଥାନ । କେଉଁଠି ପୋଲ ଭୁଷୁଡି ଯାଇଛି ତ ପୁଣି କେଉଁଠି ରାସ୍ତାଘାଟ ଘରଦ୍ୱାରା ସବୁ କିଛି ଭାସୁଛି ବନ୍ୟା ପାଣିର ପ୍ରଖର ସ୍ରୋତରେ । ପ୍ରାକୃତି ସୌନ୍ଦର୍ଯ୍ୟ ପାଇଁ ପରିଚିତ ସିକ୍କିମରେ ପ୍ରଳୟ ରଚିଛି ପ୍ରକୃତି । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉତର ସିକ୍କିମର ହୋନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଛି । ବଡ଼ କଥା ହେଉଛି ଚୁଙ୍ଗଥାଙ୍ଗ ଡ୍ୟାମର ଗେଟ୍ ଖୋଲା ଯିବା ତିସ୍ତା ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି ।

ବାଦଲ ଫଟା ବର୍ଷାରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ବାଦଲ ଫଟା ବର୍ଷା ରାଜ୍ୟ ପାଇଁ ଆଣିଥିଲା ଦୁର୍ଦ୍ଦଶା । ତିସ୍ତା ନଦୀରେ ମାଡ଼ି ଆସିଥିଲା କାଦୁଅ ମିଶା ପାଣି । ଭାସି ଯାଇ ୨୩ ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ ବାରଦାଙ୍ଗ ଠାରେ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି ।

ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସିକ୍କିମର ଅନେକ ଅଂଚଳରେ ରେଡ୍ ଓ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ତିସ୍ତା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ହାଇ ଆଲର୍ଟ ଜାରି କରାଯାଇଛି । ଜଳପାଇଗୁଡି ପ୍ରଶାସନ ପକ୍ଷରୁ ତଳିଆ ଅଂଚଳକୁ ଖାଲି କରାଯାଇଛି । ସତର୍କ ରହିବା ସହ ନଦୀ ତଟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମବଙ୍ଗ ଓ ସିକ୍କିମକୁ ଯୋଡୁଥିବା ୧୦ ନମ୍ବର ଜାତୀୟ ରାଜପଥର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି ।