କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର କିସ୍ତୱାରରେ ପ୍ରକୃତି ଦେଖାଇଛି କୋପ । ବାଦଲ ଫଟା ବର୍ଷା ପରେ ଚାରିଆଡେ ଏବେ ବିଭୀଷିକାର ଚିତ୍ର । ସବୁ କିଛି ଛାରଖାର ହୋଇଯାଇଛି । ୧୦ ଫୁଟରୁ ଅଧିକ ଉଚ୍ଚରେ ଥିବା ମାଟି ବି ଧୋଇଯାଇଛି । ଏହି ବାଦଲ ଫଟା ବର୍ଷା ପରେ ହଠାତ୍ ମାଡି ଆସିଥିବା ଜଳପ୍ରଳୟରେ ବର୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କୁ ଠାବ କରିବାକୁ ଏବେ ପାହାଡିଆ ଅଂଚଳରେ ଖୋଜିବା ଜାରି ରଖିଛନ୍ତି ସ୍ଥାନୀୟ ଲୋକ ।
ଜାମ୍ମୁକାଶ୍ମୀରର କିସ୍ତୱାର ଅଂଚଳରେ ବାଦଲଫଟା ବର୍ଷା କେତେ ଭୟଙ୍କର ଥତାହାର ଚିତ୍ର ଦେଖିଲେ ହୃଦୟ ଥରି ଉଠିବ । କେଉଁଠି ଘର ଧୋଇ ନେଇଛି ତ ଆଉ କେଉଁଠି ରାସ୍ତାଘାଟ । ବାଦଲ ଫଟା ବର୍ଷାରେ ସବୁକିଛି ଛାରଖାର ହୋଇଯାଇଛି । ଆଉ ପ୍ରକୃତିର ଏହି କରାଳ ରୂପ ଜୀବନରେ କେବେ ଦେଖି ନଥିବା କହିଛନ୍ତି ଅଂଚଳବାସୀ । ସେହିଭଳି ପାହାଡର ଉଚ୍ଚରେ ଅଧା ଭଙ୍ଗା ଅବସ୍ଥାରେ ନିଜର ଅସ୍ତିତ୍ୱକୁ ବଂଚାଇ ରଖିବାକୁ ସଂଘର୍ଷ କରୁଛି ଘର । ଯାହା ବାଦଲ ଫଟା ବର୍ଷା କେତେ ପ୍ରଖର ଥିଲା ତାହାକୁ ବୟାନ କରୁଛି । ଜଳପ୍ରଳୟକୁ ପାଖରୁ ଦେଖିଥିବା ଲୋକ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ବାଦଲଫଟା ବର୍ଷା ପରେ ଆସିଥିବା ବନ୍ୟାର ଚିହ୍ନ ଏବେ କିସ୍ତୱାରର ସବୁଆଡେ ବାରି ହୋଇଯାଉଛି । ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାର ଆଖିରୁ ଲୁହ ଶୁଖୁନି । ସବୁଠାରୁ ଚିନ୍ତା ସେହି ପରିବାର ଗୁଡିକ ପାଇଁ ଯେଉଁମାନଙ୍କର ବାଦଲ ଫଟା ବର୍ଷା ପରେ କୌଣସି ବି ପତ୍ତା ମିଳୁନି । ସମସ୍ତଙ୍କୁ ଉଦ୍ଧାର ଓ ଠାବ କରିବା ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଥିବା କହିଛନ୍ତି ଜାମ୍ମୁକାଶ୍ମୀର ରାଜ୍ୟପାଳ ।
କିସ୍ତୱାର ବାଦଲ ଫଟା ବର୍ଷା ଜନିତ କ୍ଷତିଗ୍ରସ୍ତ ଅଂଚଳରେ ଉଦ୍ଧାର କାମକୁ ଜୋରସୋରରେ ଆଗେଇ ନେଉଛି ଏସଡିଆରଏଫ୍ ଟିମ୍ । ଶେଷ ଖବର ସୁଦ୍ଧା ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି । କିନ୍ତୁ ନିଖୋଜଙ୍କୁ ପାହାଡିଆ ଅଞ୍ଚଳରୁ ଠାବ କରିବା ରହିଛି ମୁଖ୍ୟ ଚ୍ୟାଲେଞ୍ଜ ।